ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ଅତିକମରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରେଳ, ସଡ଼କ ଓ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଅନେକ ପୋଲ ଉପରେ ପାଣି ପ୍ରବାହିତ ହେଉଛି ଏବଂ ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ଥାଣେ ଜିଲ୍ଲାର ଭିୱାଣ୍ଡି ଅଞ୍ଚଳରେ କାମଭରୀ ନଦୀରେ ସୋମବାର ଜଣେ ୧୦ ବର୍ଷର ବାଳକ ପ୍ରବଳ ସ୍ରୋତରେ ଭାସିଯାଇଥିବାବେଳେ, ଏହାର ଗୋଟିଏ ଦିନ ପୂର୍ବରୁ ସେହି ନଦୀରେ ଜଣେ ୧୭ ବର୍ଷର କିଶୋର ମଧ୍ୟ ନିଖୋଜ ହୋଇଥିଲେ। ଜଣେ ବାଳକ ଘରର ଅଳିଆ ଫିଙ୍ଗିବାକୁ ଯାଇଥିବା ବେଳେ ଅନ୍ୟଜଣ ସାଙ୍ଗମାନଙ୍କ ସହ କଙ୍କଡ଼ା ଧରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ।
ବର୍ଷାଜନିତ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ବିଜୟ ୱାଡେଟ୍ଟିବାର ବିଧାନସଭାରେ ପ୍ରଶ୍ନ ଉଠାଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ତାଙ୍କ କହିବାନୁସାରେ, କେବଳ ମୁମ୍ବାଇରେ ଗତ ଦୁଇ ଦିନ ମଧ୍ୟରେ ବର୍ଷାଜନିତ ଘଟଣାରେ ୧୨ ଜଣଙ୍କ ପ୍ରାଣହାନି ଘଟିଛି। ମାନଖୁର୍ଦ୍ଦ ଅଞ୍ଚଳରେ ଖୋଲା ମ୍ୟାନହୋଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଛି।
ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ–ପୁଣେ ରେଳପଥର କରଜାତ–ଲୋନାୱାଲା ଭୋର ଘାଟ ସେକ୍ସନରେ ଦୁଇଟି ସ୍ଥାନରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବରେ ତିନୋଟି ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦ଟି ଟ୍ରେନ୍ ବାତିଲ ଏବଂ ଅନେକ ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ମୁମ୍ବାଇ–ପୁଣେ ଏକ୍ସପ୍ରେସୱେର କେତେକ ଅଂଶ ମଧ୍ୟ ଭୂସ୍ଖଳନ ଯୋଗୁଁ ବନ୍ଦ ରହିଛି।
ସତାରା ଜିଲ୍ଲାର ମହାବଳେଶ୍ୱରରେ ବେଣା ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ୧୦ରୁ ୧୨ ଜଣ ପର୍ଯ୍ୟଟକ ଫସି ରହିଥିଲେ। ପରେ କ୍ରେନ୍ ସହାୟତାରେ ସେମାନଙ୍କ ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ପୁଣେ ଜିଲ୍ଲାର ପାଟନ ଗାଁରେ ଭୂସ୍ଖଳନରେ ଗୋଟିଏ ଘର ପୋତି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ନିଖୋଜ ଅଛନ୍ତି।
ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ମୁମ୍ବାଇର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ମୁମ୍ବାଇ ବିମାନବନ୍ଦରରୁ ୧୭ଟି ବିମାନ ବାତିଲ ହୋଇଥିବାବେଳେ ବେସରକାରୀ କ୍ଷେତ୍ରର ଅନେକ ସଂସ୍ଥା କର୍ମଚାରୀଙ୍କୁ ‘ୱାର୍କ ଫ୍ରମ୍ ହୋମ୍’ରେ କାମ କରିବାକୁ ପରାମର୍ଶ ଦେଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ଦମକା ପବନର ସତର୍କବାଣୀ ଜାରି କରିଛି। ପୁଣେ ପାଇଁ ରେଡ୍ ଆଲର୍ଟ ଏବଂ ମୁମ୍ବାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ଥାଣେରେ ୨୦୮.୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଏପଟେ ପୁଣେ ଜିଲ୍ଲାର ଘୋରାୱାଡି ରେଳ ଷ୍ଟେସନ ନିକଟରେ ପାଣି ଜମିଯିବାରୁ ଗୋଟିଏ ବସ୍ ଫସି ରହିଥିଲା। ଏନ୍ଡିଆର୍ଏଫ୍ ଦଳ ଉଦ୍ଧାର ଅଭିଯାନ ଚଳାଇ ବସ୍ରେ ଫସିଥିବା ୩୭ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।




