ଭୁବନେଶ୍ୱର: ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛଧରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ‘ଅନୁମୋଦନ ପତ୍ର (Letter of Authorization-LOA)’ର ଶୁଭାରମ୍ଭ କରିବା ସହ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିସନ’ ଦସ୍ତାବିଜର ଉନ୍ମୋଚନ କରିବେ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଇଏଲ), ବିଭିନ୍ନ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜ ମାଲିକମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରାଯିବ। ଏହା ମାଧ୍ୟମରେ ଯୋଗ୍ୟ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକ ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦୀର୍ଘସ୍ଥାୟୀ ମାଛଧରା କାର୍ଯ୍ୟ କରିବାର ସୁଯୋଗ ପାଇବେ।

ଭାରତ ସରକାର ମତ୍ସ୍ୟ କ୍ଷେତ୍ରରେ ଡିଜିଟାଲାଇଜେସନ୍, ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ (FFPO) ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛି। ନୂତନ ଏଲଓଏ ବ୍ୟବସ୍ଥା ‘ଭାରତୀୟ-ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା-୨୦୨୫’ ଅନୁଯାୟୀ ବାଧ୍ୟତାମୂଳକ ହେବ।

ଏଲଓଏ କେବଳ ନିର୍ଦ୍ଦିଷ୍ଟ ଜାହାଜ ପାଇଁ ଜାରି ହେବ ଏବଂ ଏହାକୁ ଅନ୍ୟ କୌଣସି ଜାହାଜକୁ ହସ୍ତାନ୍ତର କରାଯିବ ନାହିଁ। ଏହା ‘ରିଅଲକ୍ରାଫ୍ଟ ମାଛଧରା ଜାହାଜ ପଞ୍ଜୀକରଣ ପୋର୍ଟାଲ୍’ ସହ ସଂଯୁକ୍ତ ରହିବାରୁ ମାଛଧରା କାର୍ଯ୍ୟକଳାପର ରିଅଲ୍‌-ଟାଇମ୍‌ ନିରୀକ୍ଷଣ, ଅନଲାଇନ୍‌ ଆବେଦନ, ସ୍ୱଚ୍ଛ ପ୍ରକ୍ରିୟା ଓ ସହଜ ନବୀକରଣ ବ୍ୟବସ୍ଥା ସୁନିଶ୍ଚିତ ହେବ। ଏହାସହ ଆଞ୍ଚଳିକ ମତ୍ସ୍ୟ ପରିଚାଳନା ସଂଗଠନଗୁଡ଼ିକର ସଂରକ୍ଷଣ ଓ ପରିଚାଳନା ନିୟମ ପାଳନ କରିବା ଏଲଓଏଧାରୀ ଜାହାଜ ପାଇଁ ବାଧ୍ୟତାମୂଳକ ହେବ।

କାର୍ଯ୍ୟକ୍ରମରେ ପାରାଦୀପ ମରିନ୍ ପ୍ରାଇମେରୀ ଫିସ୍ ପ୍ରଡକ୍ସନ୍ ଆଣ୍ଡ ମାର୍କେଟିଂ କୋ-ଅପରେଟିଭ୍ ସୋସାଇଟି ସମେତ ଦେଶର ବିଭିନ୍ନ ରାଜ୍ୟର ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକୁ ମଧ୍ୟ ଅନୁମୋଦନ ପତ୍ର ପ୍ରଦାନ କରାଯିବ।

ଏହି ଅବସରରେ ଉନ୍ମୋଚିତ ହେବାକୁ ଥିବା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିସନ (୨୦୨୬-୨୦୩୬)’ ରାଜ୍ୟ ସରକାରଙ୍କ ‘ନୀଳ ଅର୍ଥବ୍ୟବସ୍ଥା’ ଦୃଷ୍ଟିକୋଣର ଏକ ପ୍ରମୁଖ ପଦକ୍ଷେପ। ଏହି ମିସନ ମାଧ୍ୟମରେ ଓଡ଼ିଶାକୁ ଗଭୀର ସମୁଦ୍ର ମାଛଧରା ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ସହ ଆଧୁନିକ ମତ୍ସ୍ୟ ଭିତ୍ତିଭୂମି, ବୈଜ୍ଞାନିକ ପରିଚାଳନା, ମୂଲ୍ୟ ଶୃଙ୍ଖଳ ବିକାଶ ଓ ବଜାର ସଂଯୋଗକୁ ସୁଦୃଢ଼ କରାଯିବ।

ଏହା ଫଳରେ ମାଛ ଉତ୍ପାଦନ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଓ ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ନୂଆ ଗତି ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତি।