ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସେତୁ ନିର୍ମାଣ କାର୍ଯ୍ୟର ମନ୍ଥର ଗତି ଯୋଗୁ ସାଧାରଣ ଲୋକ ଏବେ ବି ଦୁର୍ଭୋଗ ଭୋଗୁଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲା ପାଇଁ ମୋଟ ୧୯୩ଟି ସେତୁ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ୧୪୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ବାକି ୫୦ଟି ପ୍ରକଳ୍ପ (୨୦.୭୨ ପ୍ରତିଶତ) ଏବେ ବି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାମାଞ୍ଚଳରେ ସୁଗମ ଯୋଗାଯୋଗ ସୁବିଧା ପ୍ରଦାନର ଲକ୍ଷ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଜିଲ୍ଲାରେ ବିଜୁ ସେତୁ ଯୋଜନା (ବିଏସ୍‌ୱାଇ), ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ଅନୁମୋଦିତ ହୋଇଥିଲା। ବିଜୁ ସେତୁ ଯୋଜନାରେ ୧୧୫ଟି ପ୍ରକଳ୍ପ ମଧ୍ୟରୁ ୬୭ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୪୮ଟି କାର୍ଯ୍ୟ ଏବେ ବି ଚାଲିଛି। ସେହିପରି ପିଏମ୍‌ଜିଏସ୍‌ୱାଇରେ ଅନୁମୋଦିତ ୭୬ଟି ପ୍ରକଳ୍ପ ମଧ୍ୟରୁ ୭୫ଟି ସମାପ୍ତ ହୋଇଥିବାବେଳେ ଗୋଟିଏ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ରାଜ୍ୟ ଯୋଜନାରେ ଗୋଟିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟଟି ପ୍ରାକ୍‌-ନିର୍ମାଣ ପର୍ଯ୍ୟାୟରେ ରହିଛି।

ନିର୍ମାଣାଧୀନ ୫୦ଟି ପ୍ରକଳ୍ପ ମଧ୍ୟରୁ କେବଳ ୧୦ଟିରେ ପ୍ରକୃତ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଅବଶିଷ୍ଟ ୪୦ଟି ପ୍ରକଳ୍ପ ସର୍ବେକ୍ଷଣ, ମୃତ୍ତିକା ପରୀକ୍ଷା, ନକ୍ସା ପ୍ରସ୍ତୁତି, ଡିପିଆର୍‌ ତିଆରି ଏବଂ ଟେଣ୍ଡର ପ୍ରକ୍ରିୟାରେ ଅଟକି ରହିଛି।

ସେତୁ ନିର୍ମାଣରେ ଦୀର୍ଘ ବିଳମ୍ବ ଯୋଗୁ ଅନେକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଶତାଧିକ ଗ୍ରାମବାସୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନିତିଦିନ ଜୀବନକୁ ବିପଦରେ ପକାଇ ନଦୀ ଓ ନାଳ ପାର ହେବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ବର୍ଷା ଋତୁରେ ସେମାନଙ୍କ ସମସ୍ୟା ଆହୁରି ବଢ଼ିଯାଉଛି।

ଅନେକ ସ୍ଥାନରେ ବର୍ଷ ବର୍ଷ ଧରି କେବଳ ସେତୁର ପିଲାର ଠିଆ ହୋଇ ରହିଥିବାବେଳେ କାମ ଆଗକୁ ବଢ଼ୁନାହିଁ। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ, ତଦାରଖର ଅଭାବ ଏବଂ ପ୍ରଶାସନିକ ବିଳମ୍ବ ଯୋଗୁ ପ୍ରକଳ୍ପଗୁଡ଼ିକର ସମୟସୀମା ବାରମ୍ବାର ବୃଦ୍ଧି ପାଉଥିବାରୁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।