ମୁମ୍ବାଇ: ଆମେରିକା-ଇରାନ ମଧ୍ୟରେ ପୁଣିଥରେ ବଢ଼ୁଥିବା ଉତ୍ତେଜନା ଓ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ବୁଧବାର ଭାରତୀୟ ଶେୟାର ବଜାରରେ ସ୍ପଷ୍ଟ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧,୬୭୭ ପଏଣ୍ଟ ଖସି ୭୬,୫୦୩ ପଏଣ୍ଟରେ ବନ୍ଦ ହୋଇଥିବାବେଳେ, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି ୫୧୭ ପଏଣ୍ଟ ହ୍ରାସ ପାଇ ୨୩,୮୮୨ ପଏଣ୍ଟରେ ପହଞ୍ଚିଛି।

ବଜାରର ଏହି ବଡ଼ ଧରଣର ପତନ ଯୋଗୁ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହରାଇଛନ୍ତି। ଏହାସହ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜିକରଣ ୪୭୧ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

ଦିନସାରା କାରବାରରେ ବ୍ୟାଙ୍କିଙ୍ଗ, ଏଫ୍‌ଏମ୍‌ସିଜି ଏବଂ ତୈଳ-ଗ୍ୟାସ କ୍ଷେତ୍ରର ଶେୟାରରେ ଅଧିକ ବିକ୍ରି ଚାପ ଦେଖାଯାଇଥିଲା। ଏହାର ପ୍ରଭାବରେ ବଜାରରେ ନିବେଶକଙ୍କ ମନୋଭାବ ଦୁର୍ବଳ ହୋଇପଡ଼ିଥିଲା।

ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଅନ୍ତରୀଣ ଯୁଦ୍ଧବିରତି ପରେ ବଜାରରେ ଯେଉଁ ସୁଧାର ଦେଖାଯାଇଥିଲା, ତାହା ବୁଧବାର ସମ୍ପୂର୍ଣ୍ଣ ମିଳାଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଶେଷ ହୋଇଥିବା ନେଇ ସଙ୍କେତ ଦେବା ପରେ ବିଶ୍ୱ ବଜାରରେ ଅନିଶ୍ଚିତତା ବଢ଼ିଛି।

ଏହି ପରିସ୍ଥିତିରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୮.୦୯ ଡଲାରକୁ ବୃଦ୍ଧି ପାଇଛି। ତେଲ ମହଙ୍ଗା ହେବା ଫଳରେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ପୁଣି ଜୋର ଧରିଛି। ବିଶ୍ୱର ପ୍ରମୁଖ ଶେୟାର ବଜାରରେ ମଧ୍ୟ ଦୁର୍ବଳ କାରବାରର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।