ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଆଳୁ ଅଭାବ ଦେଖାଦେଲେ ପଶ୍ଚିମବଙ୍ଗରୁ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ। ଏହାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ସକାରାତ୍ମକ ବୁଝାମଣା ସୃଷ୍ଟି ହୋଇଛି। ବୁଧବାର କୋଲକାତାସ୍ଥିତ ଖାଦ୍ୟ ଭବନରେ ପଶ୍ଚିମବଙ୍ଗର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଶୋକ କୀର୍ତ୍ତନିଆ ଏବଂ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଓ ପାରସ୍ପରିକ ସମନ୍ୱୟ ବଜାୟ ରଖି ସାଧାରଣ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆଳୁ ପରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମନ୍ୱିତ ପଦକ୍ଷେପ ନିଆଯିବ ବୋଲି ପଶ୍ଚିମବଙ୍ଗ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।

ପଶ୍ଚିମବଙ୍ଗର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ଆଳୁ ଯୋଗାଣ ପ୍ରସଙ୍ଗରେ ସମସ୍ତ ପ୍ରକାର ସହଯୋଗ ଜାରି ରହିବ। ଯୋଗାଣ ଶୃଙ୍ଖଳରେ କୌଣସି ବାଧା ସୃଷ୍ଟି ନହେବାକୁ ଉଭୟ ରାଜ୍ୟ ମିଳିତ ଭାବେ କାମ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବୈଠକରେ ପୂର୍ବରୁ ଖାଦ୍ୟ ସାମଗ୍ରୀ ଯୋଗାଣକୁ ନେଇ ଉପୁଜିଥିବା ସମସ୍ୟାର ପୁନରାବୃତ୍ତି ନ ହେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଦୁଇ ରାଜ୍ୟ ସରକାର ଜନସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆବଶ୍ୟକୀୟ ସାମଗ୍ରୀର ସୁଚାରୁ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସହମତି ପ୍ରକାଶ କରିଥିଲେ। ଏଥିସହ ବିକାଶମୂଳକ କାର୍ଯ୍ୟକ୍ରମରେ ପାରସ୍ପରିକ ସହଯୋଗ ଜାରି ରଖିବାକୁ ମଧ୍ୟ ଉଭୟ ମନ୍ତ୍ରୀ ମତ ପ୍ରକାଶ କରିଥିଲେ।