ଇମ୍ଫାଲ: ମଣିପୁରରେ ଶାନ୍ତି, ସ୍ଥିରତା ଏବଂ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଭାରତୀୟ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPFs) ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯିବ। ବୁଧବାର ମଣିପୁର ଗୃହମନ୍ତ୍ରୀ କୋନ୍ଥୌଜମ୍ ଗୋବିନ୍ଦାସ ସିଂ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସାମ୍ପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି।
ଗୃହମନ୍ତ୍ରୀ ଗୋବିନ୍ଦାସ ସିଂ ୩ Corps ର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ଗିରିଶ କାଲିଆ, ସିଆରପିଏଫ୍ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂ ଏବଂ ଆସାମ ରାଇଫଲ୍ସର ଆଇଜି ମେଜର ଜେନେରାଲ ଗୌରବ ଶର୍ମାଙ୍କ ସମେତ ଅନ୍ୟ ସୁରକ୍ଷା ଅଧିକାରୀମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। ଉଖ୍ରୁଲ୍ ଜିଲ୍ଲାର ଜାତୀୟ ରାଜପଥ-୨ ରେ ଆସାମ ରାଇଫଲ୍ସ ଗାଡ଼ି ଉପରେ ସନ୍ଦିଗ୍ଧ ନାଗା ସଶସ୍ତ୍ର ଗୋଷ୍ଠୀର ଆକ୍ରମଣରେ ଦୁଇ ଜଣ ଯବାନ ସହୀଦ ହେବାର ଦୁଇ ଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାରୁ ଏହାକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ବୈଠକ ପରେ ଗୃହମନ୍ତ୍ରୀ ଫେସବୁକରେ ପୋଷ୍ଟ କରିଛନ୍ତି ଯେ, “ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସବୁ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ଅପରେସନାଲ ପ୍ରସ୍ତୁତି ଉପରେ ଫୋକସ୍ କରାଯାଇଛି। ଦେଶର ସୁରକ୍ଷା ଏବଂ ମଣିପୁରର ପ୍ରଗତି ପାଇଁ ଭାରତୀୟ ସେନା ଓ ସିଆରପିଏଫ୍ର ଉତ୍ସର୍ଗୀକୃତ ସେବା ପ୍ରଶଂସନୀୟ।”
ଏହା ପୂର୍ବରୁ ଗୃହମନ୍ତ୍ରୀ ଗୋବିନ୍ଦାସ ସିଂ, ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ୟୁମ୍ନମ ଖେମଚାନ୍ଦ ସିଂଙ୍କ ସହ ଇମ୍ଫାଲ ବିମାନବନ୍ଦରରେ ସହୀଦ ୱାରେଣ୍ଟ ଅଫିସର ବଲୱନ୍ତ ସିଂ ଏବଂ ହାଭିଲଦାର ଚନ୍ଦ୍ର ମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆକ୍ରମଣକାରୀଙ୍କୁ ଧରିବା ଏବଂ ହିଂସା ରୋକିବା ପାଇଁ ସୁରକ୍ଷା ବାହିନୀ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ ଜାରି ରଖିଛନ୍ତି।




