କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଜଣେ ୬ ବର୍ଷୀୟା ଶିଶୁକନ୍ୟାଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେବା ସହ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାଟି ସଦର ଥାନା ଅନ୍ତର୍ଗତ ରାଇଗୋଡ଼ା ଅଞ୍ଚଳରେ ଘଟିଥିବାବେଳେ, ଅଭିଯୁକ୍ତ ଶିଶୁକନ୍ୟାଙ୍କ ସମ୍ପର୍କୀୟ ମାମୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଭିଯୁକ୍ତକୁ କାବୁ କରି ପୁଲିସ ଜିମା ଦିଆଯାଇଛି।
ପୁଲିସ ସୂଚନା ଅନୁସାରେ, ନୟାକୋଟ ଥାନା ଅଞ୍ଚଳର ଶିଶୁକନ୍ୟାଙ୍କୁ ଅଭିଯୁକ୍ତ ଟ୍ରକ୍ରେ ନେଇ ରାଇଗୋଡ଼ା ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଯାଇଥିଲେ। ସେଠାରେ ଶିଶୁକନ୍ୟାଙ୍କ ପ୍ରତି ଯୌନ ନିର୍ଯାତନା ଦେବା ସହ ତାଙ୍କ ଉପରେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ଶିଶୁକନ୍ୟାଙ୍କ ଚିତ୍କାର ଶୁଣି ନିକଟ ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଅଭିଯୁକ୍ତକୁ କାବୁ କରି ପୁଲିସ ହାତରେ ଦେଇଥିଲେ। ଆହତ ଶିଶୁକନ୍ୟାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।
ଖବର ପାଇ ଶୁଆକାଟି ଫାଣ୍ଡି ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ରାଇଗୋଡ଼ା–ରଙ୍ଗଡିହି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି।
ପୁଲିସ ମାମଲା ରୁଜୁ କରି ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି। ସେହିପରି ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଦଳ ନଜର ରଖିଥିବା ସୂଚନା ମିଳିଛି।




