ସୁନ୍ଦରଗଡ଼: ଦୁଷ୍କର୍ମ ମାମଲାରେ ଦୀର୍ଘଦିନ ଧରି ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ବିବାହ ପୂର୍ବରୁ ସୁନ୍ଦରଗଡ଼ ପୁଲିସ ଗିରଫ କରିଛି। ବିବାହର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୁଲିସର ସ୍ୱତନ୍ତ୍ର ଚଢ଼ାଉରେ ଅଭିଯୁକ୍ତ ଧରାପଡ଼ିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ସଦର ଥାନା ଅଧୀନ କୁର୍ଗା ଗାଁର ବଳଭଦ୍ର ପଟ୍ଟା ଓରଫ ବଣ୍ଟିଙ୍କ ବିରୋଧରେ ଚଳିତ ବର୍ଷ ଜାନୁଆରିରେ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ମାମଲା ପରେ ସେ ଫେରାର୍‌ ହୋଇଯାଇଥିଲେ ଏବଂ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସି ଚଳାଇଥିଲା। ତେବେ ସେ ପୁଲିସକୁ ଚକମା ଦେଇ ଏତେଦିନ ଧରି ଲୁଚି ରହିଥିଲେ।

ଏହି ସମୟ ମଧ୍ୟରେ ଅଭିଯୁକ୍ତ ନିଜ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କନ୍ୟାପକ୍ଷ ସହ ବିବାହ ସ୍ଥିର ହେବା ସହ ଆସନ୍ତା ୧୨ ତାରିଖରେ ବିବାହ ଉତ୍ସବ ହେବାର କାର୍ଯ୍ୟକ୍ରମ ମଧ୍ୟ ଧାର୍ଯ୍ୟ ହୋଇଥିଲା।

ଅଭିଯୁକ୍ତଙ୍କ ଅବସ୍ଥାନ ସମ୍ପର୍କରେ ସୂଚନା ପାଇବା ପରେ ସଦର ଥାନା ଅଧିକାରୀ ସୌଦାମିନୀ ନାଗଙ୍କ ନେତୃତ୍ୱରେ ପୁଲିସ ଦଳ ବୁଧବାର ରାତିରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ତାଙ୍କୁ ଗିରଫ କରିଥିଲା। ପରଦିନ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା।

ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତରେ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତୀ ତଦନ୍ତ ସଦର ଥାନା ପୁଲିସ ପକ୍ଷରୁ ଜାରି ରହିଛି।