ଗାନ୍ଧୀନଗର: ଦେଶରେ ବିକଳ୍ପ ଇନ୍ଧନ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ହାଇଡ୍ରୋଜେନ୍‌ ଇନ୍ଧନକୁ ପରିବହନ କ୍ଷେତ୍ରର ଭବିଷ୍ୟତ ବୋଲି କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଦେଶର ୧୦ଟି ପ୍ରମୁଖ ରୁଟ୍‌ରେ ହାଇଡ୍ରୋଜେନ୍‌ ଆଧାରିତ ଯାନବାହନର ପରୀକ୍ଷାମୂଳକ ପରିଚାଳନା ଚାଲିଛି।

ଗଡ଼କରୀଙ୍କ କହିବାନୁସାରେ, ଭୁବନେଶ୍ୱର-କୋଣାର୍କ-ପୁରୀ, ନୋଏଡା-ଦିଲ୍ଲୀ-ଆଗ୍ରା, ଅହମଦାବାଦ-ବଡୋଦରା-ସୁରତ, ସାହିବାବାଦ-ଫରିଦାବାଦ-ଦିଲ୍ଲୀ, ପୁଣେ-ମୁମ୍ବାଇ, ଜାମସେଦପୁର-କଳିଙ୍ଗନଗର, ଥିରୁବନନ୍ତପୁରମ-କୋଚି, କୋଚି-ଇଡାପାଲି, ଜାମନଗର-ଅହମଦାବାଦ ଏବଂ ବିଶାଖାପାଟଣା-ବୟବରମ ରୁଟ୍‌ରେ ହାଇଡ୍ରୋଜେନ୍‌ ଇନ୍ଧନର ପରୀକ୍ଷା ଚାଲିଛି।

ସେ କହିଛନ୍ତି, ପରିବେଶ ଅନୁକୂଳ ଏବଂ ସ୍ୱଚ୍ଛ ଇନ୍ଧନ ଭାବେ ହାଇଡ୍ରୋଜେନ୍‌ର ବ୍ୟବହାର ଆଗାମୀ ଦିନରେ ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିପାରିବ।

ଏହି ଅବସରରେ ଗଡ଼କରୀ ଦେଶରେ ବସ୍‌ ଉତ୍ପାଦନକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ତାଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଦେଶକୁ ପ୍ରାୟ ୩ ଲକ୍ଷ ବସ୍‌ର ଆବଶ୍ୟକତା ଥିଲେ ମଧ୍ୟ ବର୍ତ୍ତମାନ କେବଳ ୭୦ ହଜାରରୁ ୮୦ ହଜାର ବସ୍‌ ଉତ୍ପାଦନ ହେଉଛି, ଯାହା ଚାହିଦା ତୁଳନାରେ ବହୁତ କମ୍‌।

ସେ ଇଲେକ୍ଟ୍ରିକ୍‌ ବସ୍‌ ନିର୍ମାତାଙ୍କୁ ଲିଥିୟମ୍‌-ଆୟନ ବ୍ୟାଟେରି ଦର କମିବାର ଲାଭ ସିଧାସଳଖ ଗ୍ରାହକଙ୍କୁ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ବସ୍‌, ଟ୍ରକ୍‌ ଓ କାର୍‌ ପାଇଁ ଚାର୍ଜିଂ ଶୁଳ୍କ ବର୍ତ୍ତମାନ ଅଧିକ ଥିବାରୁ ତାହାକୁ କମାଇବା ଦିଗରେ ସରକାର କାମ କରୁଥିବା ସେ ସୂଚନା ଦେଇଛନ୍ତି।