ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଓଡ଼ିଶା ସରକାରଙ୍କୁ ₹୧.୧୭ କୋଟିର ଲାଭାଂଶ ପ୍ରଦାନ କରିଛି। ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏହି ଲାଭାଂଶର ଚେକ୍‌ ପ୍ରଦାନ କରିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଓଟିଡିସିର କାର୍ଯ୍ୟଦକ୍ଷତା ଓ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିଗମର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଆର୍ଥିକ ଭାବେ ସୁଦୃଢ଼ ଓ ବୃତ୍ତିଗତ ଭାବେ ପରିଚାଳିତ ପର୍ଯ୍ୟଟନ ସଂସ୍ଥା ରାଜ୍ୟକୁ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଶକ୍ତିଶାଳୀ କରିଥାଏ।

ବର୍ତ୍ତମାନ ଓଟିଡିସି ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଟି ପାନ୍ଥନିବାସ ପରିଚାଳନା କରୁଥିବାବେଳେ ପାରମ୍ପରିକ ଓଡ଼ିଆ ଖାଦ୍ୟ ରେଷ୍ଟୁରାଣ୍ଟ, ବିଳାସପୂର୍ଣ୍ଣ ପର୍ଯ୍ୟଟନ ପରିବହନ ସେବା ଏବଂ ଏୟାର ଟିକେଟିଂ ସେବା ମଧ୍ୟ ଯୋଗାଇ ଆସୁଛି। ଏହାଛଡ଼ା ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ଯୋଜନା, ନିର୍ମାଣ, ଉନ୍ନତୀକରଣ ଓ ରକ୍ଷଣାବେକ୍ଷଣ ପାଇଁ ନିଗମର ସ୍ୱତନ୍ତ୍ର ଇଞ୍ଜିନିୟରିଂ ବିଭାଗ କାର୍ଯ୍ୟ କରୁଛି।

ଆଗାମୀ ତିନି ବର୍ଷ ପାଇଁ ଓଟିଡିସି ଏକ ଦୀର୍ଘମିଆଦୀ ବିକାଶ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛି। ଏଥିରେ ପର୍ଯ୍ୟଟନ ଭିତ୍ତିଭୂମିର ଆଧୁନିକୀକରଣ, ସେବାର ଗୁଣବତ୍ତା ବୃଦ୍ଧି, କାର୍ଯ୍ୟଦକ୍ଷତାରେ ସୁଧାର ଏବଂ ପର୍ଯ୍ୟଟନ ସେବାର ବିସ୍ତାରକୁ ପ୍ରାଥମିକତା ଦିଆଯାଇଛି। ପାନ୍ଥନିବାସ ସମେତ ସମସ୍ତ ୟୁନିଟ୍‌ର ସେବାକୁ ଆହୁରି ଉନ୍ନତ କରି ନିଗମର ଆୟ ଓ ଲାଭ ବଢ଼ାଇବା ଲକ୍ଷ୍ୟ ରଖାଯାଇଥିବା ଓଟିଡିସି ପକ୍ଷରୁ କୁହାଯାଇଛି।