ନୂଆଦିଲ୍ଲୀ: ଗତ କିଛି ଦିନର ପ୍ରବଳ ବର୍ଷା ପରେ ଦେଶରେ ମୌସୁମୀ ବାୟୁ ପୁଣି ଦୁର୍ବଳ ହେବାର ସଙ୍କେତ ମିଳୁଛି। ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ପ୍ରଶାନ୍ତ ମହାସାଗରରେ ସକ୍ରିୟ ‘ଏଲ୍ ନିନୋ’ ପ୍ରଭାବ ଯୋଗୁ ଆଗାମୀ କିଛି ଦିନ ମଧ୍ୟରେ ବର୍ଷାର ପରିମାଣ କମିପାରେ। ଏହା ଖରିଫ ଫସଲ ଚାଷ ପାଇଁ ନୂଆ ଚିନ୍ତା ସୃଷ୍ଟି କରିଛି।
ବିଗତ ୯ ଦିନ ଧରି ଦେଶର ବିଭିନ୍ନ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହେବାରୁ ବର୍ଷା ନିଅଣ୍ଟରେ ଉଲ୍ଲେଖନୀୟ ସୁଧାର ଆସିଥିଲା। ସ୍ୱାଭାବିକ ବର୍ଷାଠାରୁ ନିଅଣ୍ଟ ପ୍ରାୟ -୧୪.୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। କିନ୍ତୁ ଏହି ସୁଧାର ଦୀର୍ଘସ୍ଥାୟୀ ନ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୧୦ରୁ ୧୫ ମଧ୍ୟରେ ଉତ୍ତର, ପଶ୍ଚିମ, କେନ୍ଦ୍ରୀୟ ଭାରତ ସହ ପଶ୍ଚିମ ଉପକୂଳରେ ବର୍ଷାର ପରିମାଣ ଲକ୍ଷଣୀୟ ଭାବେ କମିପାରେ। ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ବଳୟ ଦୁର୍ବଳ ହେଉଥିବାରୁ ମୌସୁମୀର ତୀବ୍ରତା ହ୍ରାସ ପାଉଛି। ସାଟେଲାଇଟ୍ ଚିତ୍ରରୁ ମଧ୍ୟ ଦେଶର ପ୍ରମୁଖ ମୌସୁମୀ ଅଞ୍ଚଳରେ ବାଦଲର ଘନତା କମୁଥିବା ଦେଖାଯାଇଛି। ଫଳରେ ଜୁଲାଇ ମଧ୍ୟଭାଗ ସୁଦ୍ଧା ସାମଗ୍ରିକ ବର୍ଷା ପୁଣିଥରେ ସ୍ୱାଭାବିକଠାରୁ କମ୍ ସ୍ତରକୁ ଖସିପାରେ।
କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, କେବଳ ମୋଟ ବର୍ଷା ପରିମାଣ ନୁହେଁ, ସଠିକ୍ ସମୟରେ ନିୟମିତ ବର୍ଷା ହେବା ମଧ୍ୟ ଫସଲ ପାଇଁ ଅତ୍ୟନ୍ତ ଜରୁରୀ। ଏବେ ବୁଣାଯାଇଥିବା ଧାନ ଓ ଅନ୍ୟ ଖରିଫ ଫସଲର ପ୍ରାରମ୍ଭିକ ବିକାଶ ପାଇଁ ମାଟିରେ ଆର୍ଦ୍ରତା ରହିବା ଆବଶ୍ୟକ। ଯଦି ଦୀର୍ଘ ସମୟ ବର୍ଷା ନ ହୁଏ, ତେବେ ସେଚ ବ୍ୟବସ୍ଥା ନଥିବା ଅଞ୍ଚଳରେ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।
ବିଶେଷଜ୍ଞମାନଙ୍କ ମତରେ, ‘ଏଲ୍ ନିନୋ’ ପ୍ରଭାବ ଥିବା ବର୍ଷଗୁଡ଼ିକରେ ସାଧାରଣତଃ କିଛି ଦିନ ଅତ୍ୟଧିକ ବର୍ଷା ପରେ ଦୀର୍ଘ ବର୍ଷା ବିରତି ଦେଖାଯାଏ। ଏହି ଅସ୍ଥିର ପାଣିପାଗ ପରିସ୍ଥିତି କୃଷି କ୍ଷେତ୍ର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରେ।
ଚଳିତ ବର୍ଷ ଜୁନ୍ରେ କେରଳରେ ମୌସୁମୀ ପହଞ୍ଚିବା ପରେ ପ୍ରାୟ ତିନି ସପ୍ତାହ ଧରି ଏହାର ଅଗ୍ରଗତି ଧୀର ହୋଇଯାଇଥିଲା। ଏହାର ପ୍ରଭାବରେ ଦେଶର ଅନେକ ଅଞ୍ଚଳରେ ବର୍ଷାର ଘାଟତି ଦେଖାଦେଇଥିଲା। ପରେ ଜୁଲାଇ ଆରମ୍ଭରେ ଏକାଧିକ ଲଘୁଚାପ ସୃଷ୍ଟି ହେବାରୁ ମୌସୁମୀ ସକ୍ରିୟ ହୋଇ ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା କରାଇଥିଲା। ଏଥିଯୋଗୁ ଜଳାଶୟରେ ଜଳସ୍ତର ବଢ଼ିବା ସହ ଖରିଫ ଚାଷ ମଧ୍ୟ ଗତି ପାଇଥିଲା।
ତେବେ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ମୌସୁମୀ ବାୟୁ ଅସ୍ଥିର ପର୍ଯ୍ୟାୟରେ ରହିଛି। ଆଗାମୀ କିଛି ଦିନର ପାଣିପାଗ ସ୍ଥିତି ଉପରେ କୃଷି ଓ ଜଳ ସମ୍ପଦ ପରିଚାଳନା ବହୁ ପରିମାଣରେ ନିର୍ଭର କରିବ।




