ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବିଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ସେମେଷ୍ଟାର ପରୀକ୍ଷା କରାଇବାରେ ଅହେତୁକ ବିଳମ୍ବକୁ ନେଇ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା ନର୍ସେସ୍ ଆଣ୍ଡ ମିଡୱାଇଭ୍ସ ରେଜିଷ୍ଟ୍ରେସନ କାଉନ୍ସିଲ। ପରୀକ୍ଷା ସମୟରେ ନହେବା ସମ୍ପର୍କରେ ଆସନ୍ତା ୨ ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ କାଉନ୍ସିଲ ପକ୍ଷରୁ ଜିଲ୍ଲାର ୧୬ଟି ନର୍ସିଂ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ଟି ପ୍ରାଇଭେଟ୍ ନର୍ସିଂ କଲେଜର ଶତାଧିକ ଛାତ୍ରଛାତ୍ରୀ ଶୁକ୍ରବାର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୪ ବର୍ଷିଆ ବିଏସସି ନର୍ସିଂ ପାଠ୍ୟକ୍ରମରେ ସେମାନେ ପ୍ରାୟ ୬ ବର୍ଷ ପୂର୍ବେ ନାମ ଲେଖାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କର ସପ୍ତମ ଏବଂ ଅଷ୍ଟମ ସେମେଷ୍ଟାର ପରୀକ୍ଷା କରାଯାଇ ନାହିଁ ।
୪ ବର୍ଷର କୋର୍ସ ୬ ବର୍ଷରୁ ଅଧିକ ସମୟ ଧରି ଟାଣି ହୋଇ ଚାଲିଥିବାରୁ ଏହା ସେମାନଙ୍କର ଭବିଷ୍ୟତ, ଉଚ୍ଚଶିକ୍ଷା ଏବଂ ଚାକିରି ସୁଯୋଗ ଉପରେ ଗୁରୁତର ପ୍ରଭାବ ପକାଇଛି ବୋଲି ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆନ୍ଦୋଳନ ସମୟରେ ବାଲେଶ୍ୱର ଗସ୍ତରେ ଥିବା ଓଡ଼ିଶା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଛାତ୍ରଛାତ୍ରୀଙ୍କର ଏକ ପ୍ରତିନିଧି ଦଳ ଭେଟିଥିଲେ । ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ସେମାନେ ମନ୍ତ୍ରୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଥିଲେ ।
ONMRC ଏହି ବିଳମ୍ବର କାରଣ ଦର୍ଶାଇ କଲେଜ କର୍ତ୍ତୃପକ୍ଷଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । ସନ୍ତୋଷଜନକ ଉତ୍ତର ନମିଳିଲେ କଲେଜଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।ଏହି ଘଟଣା ଜିଲ୍ଲାର ନର୍ସିଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅରାଜକତା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଏବଂ ବର୍ତ୍ତମାନ ସମସ୍ତେ ଆଶା ରଖିଛନ୍ତି ଯେ ସରକାରୀ ହସ୍ତକ୍ଷେପ ପରେ ପରୀକ୍ଷା ଶୀଘ୍ର ଅନୁଷ୍ଠିତ ହେବ ।




