ଭୁବନେଶ୍ୱର: ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା, ସ୍ଥାୟୀ ସଂରକ୍ଷଣ ଏବଂ ସାଂସ୍ଥାନିକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଏକ ସଂସ୍କାର-ଭିତ୍ତିକ ମାର୍ଗଦର୍ଶିକା ‘ଷ୍ଟେଟ୍ ୱାଟର ରିଫର୍ମସ ଫ୍ରେମୱର୍କ’ (SWRF) ର କାର୍ଯ୍ୟାନ୍ୱୟନ ରାଜ୍ୟରେ ଆରମ୍ଭ ହୋଇଛି । ଏହି ପଦକ୍ଷେପ ଦ୍ୱାରା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ହେବା ସହ ତଥ୍ୟ-ଭିତ୍ତିକ ଯୋଜନା ଓ ଜଳ ସଂରକ୍ଷଣ କାର୍ଯ୍ୟକ୍ରମର ଅନୁଧ୍ୟାନ ଅଧିକ ସହଜ ହେବ ।
ଜୁଲାଇ ୧୦, ୨୦୨୬ରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଏହି ଫ୍ରେମୱର୍କର ସଫଳ ରୂପାୟନ ପାଇଁ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାର ସକ୍ରିୟ ସହଯୋଗ ଲୋଡ଼ାଯାଇଛି । ଏଥିରେ ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପଞ୍ଚାୟତିରାଜ ଓ ପାନୀୟ ଜଳ, ପର୍ଯ୍ୟଟନ, କୃଷି ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଭଳି ପ୍ରମୁଖ ବିଭାଗଗୁଡ଼ିକୁ ସାମିଲ କରାଯାଇଛି ।
ଏହି ନୂତନ ଜଳ ସଂସ୍କାର ଫ୍ରେମୱର୍କ (SWRF) ମୋଟ ୭୫ଟି ସଂସ୍କାର ସୂଚକାଙ୍କ କୁ ନେଇ ଗଠିତ, ଯାହାକୁ ୫ଟି ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ନୀତି ଓ ନିୟମାବଳୀ, ପ୍ରକଳ୍ପ ଅନୁଧ୍ୟାନ, ଡିଜିଟାଲାଇଜେସନ ଓ ଗବେଷଣା, ଭିତ୍ତିଭୂମି ଏବଂ ଜନସାଧାରଣଙ୍କ ସହଭାଗିତା । ଜଳ ପରିଚାଳନା କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେତେ ପ୍ରଗତି କରୁଛନ୍ତି, ତାହା ଏହି ଆଧାରରେ ଆକଳନ କରାଯିବ ।
ଓଡ଼ିଶା ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜଳ ପରିଚାଳନାରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରି ଆସନ୍ତା ୩୧ ଡିସେମ୍ବର ୨୦୨୬ ସୁଦ୍ଧା ଆବଶ୍ୟକୀୟ ସଂସ୍କାର ଆଣିବେ । ଏହାପରେ, ଜାନୁଆରୀ ୩୧, ୨୦୨୭ ସୁଦ୍ଧା ସମସ୍ତ ଯାଞ୍ଚ ହୋଇଥିବା ତଥ୍ୟ ଓ ଦସ୍ତାବିଜ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଏହି ରିପୋର୍ଟର ସମୀକ୍ଷା କରିବା ପରେ ଏପ୍ରିଲ ୨୦ ୨୦୨୭ରେ ଦେଶବ୍ୟାପୀ ଜାତୀୟ ର଼୍ୟାଙ୍କିଙ୍ଗ୍ ଜାରି କରିବେ ।ଏହି ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ଅତିରିକ୍ତ ସଚିବ କିମ୍ବା ତା’ଠାରୁ ଉପର ପାହ୍ୟାର ଅଧିକାରୀଙ୍କୁ ‘ନୋଡାଲ ଅଫିସର’ ଭାବେ ମନୋନୀତ କରିବାକୁ କୁହାଯାଇଛି ।
ଏହି ଅଧିକାରୀମାନେ ନିଜ ବିଭାଗର ସୂଚକାଙ୍କଗୁଡ଼ିକର ସମୀକ୍ଷା କରି ଆସନ୍ତା ଜୁଲାଇ ୨୦, ୨୦୨୬ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟ୍ରେ ରିପୋର୍ଟ ଦାଖଲ କରିବେ । ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଜଳ ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।




