ଝାରସୁଗୁଡ଼ା: ଦୀର୍ଘ ଦିନର ନୀରବତା ପରେ ନିଜ ବାପା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଏକ ସ୍ୱତନ୍ତ୍ର ପ୍ରେସ ବିଜ୍ଞପ୍ତି ଜାରି କରି ସେ ବର୍ତ୍ତମାନର ବିଜେପି ସରକାରଙ୍କ ଆଭିମୁଖ୍ୟ ଉପରେ ଗୁରୁତର ପ୍ରଶ୍ନ ଉଠାଇବା ସହ ସେମାନଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ତୀବ୍ର ସମାଲୋଚନା କରିଛନ୍ତି।ଦୀପାଳି ସ୍ପଷ୍ଟ କରିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ରହିଛି।
କୌଣସି ସାର୍ବଜନୀନ ମନ୍ତବ୍ୟ ଯେପରି ଆଇନଗତ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ ନକରେ, ସେଥିପାଇଁ ସେ ଏପର୍ଯ୍ୟନ୍ତ ନୀରବ ରହିଥିଲେ। ହେଲେ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକଳାପ ଓ ସ୍ଥିତି ତାଙ୍କୁ ସତ୍ୟ ସାମ୍ନାକୁ ଆଣିବା ପାଇଁ ମୁହଁ ଖୋଲିବାକୁ ବାଧ୍ୟ କରିଛି।
ଦୀପାଳିଙ୍କ କହିବା ଅନୁଯାୟୀ, ନବ ଦାସଙ୍କ ଅକାଳ ବିୟୋଗ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ମଧ୍ୟ ସେମାନେ ସବୁବେଳେ ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରଖିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ସିବିଆଇ (CBI) ତଦନ୍ତ କରାଇବ ବୋଲି ଜନସାଧାରଣଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଦୀପାଳି, ତାଙ୍କ ମା’ ଏବଂ ଭାଇ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ ମଧ୍ୟ କରିଥିଲେ।କିନ୍ତୁ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ଏଥିରୁ ଓହରି ଯାଇଛନ୍ତି।
ସିବିଆଇକୁ ତଦନ୍ତ ଭାର ନଦେଇ ସରକାର ପୁଣି ଥରେ କ୍ରାଇମବ୍ରାଞ୍ଚ ଦ୍ୱାରା ହିଁ ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର କାହିଁକି ଏହି ମାମଲାରେ ସିବିଆଇ ସୁପାରିଶ କଲେ ନାହିଁ ଏବଂ ନିଜ ପ୍ରତିଶ୍ରୁତି କାହିଁକି ଭୁଲିଗଲେ ବୋଲି ଦୀପାଳି ପ୍ରଶ୍ନ କରିଛନ୍ତି। ଏହି ଅବସରରେ ଝାରସୁଗୁଡ଼ାର ବର୍ତ୍ତମାନର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ତୀବ୍ର କଟାକ୍ଷ କରିଛନ୍ତି ଦୀପାଳି। ସେ କହିଛନ୍ତି, “ଯଦି ଘଟଣାର ସତ୍ୟ ଉନ୍ମୋଚନ କରିବା ହିଁ ବର୍ତ୍ତମାନ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ, ତେବେ ସରକାର କେବଳ ନବ ଦାସ ହତ୍ୟା ମାମଲା ନୁହେଁ, ବରଂ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମା’ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ମଧ୍ୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ।”
ଏହାଦ୍ୱାରା ଦୁଇଟି ଯାକ ବଡ଼ ଘଟଣାର ପ୍ରକୃତ ସଚ୍ଚୋଟତା ଓ ସତ୍ୟ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।ଦୀପାଳି ଦାସଙ୍କର ଏହି ବିସ୍ଫୋରକ ବୟାନ ଏବଂ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ଘଟଣା ଏବେ ଓଡ଼ିଶା ରାଜନୀତିରେ ଏକ ନୂଆ ବିତର୍କ ଓ ଚର୍ଚ୍ଚା ସୃଷ୍ଟି କରିଛି।




