ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ର ଭବିଷ୍ୟତ ଓ ଆଗାମୀ ଶାସନକୁ ନେଇ ଏକ ବଡ଼ ତଥା ଦୃଢ଼ୋକ୍ତିପୂର୍ଣ୍ଣ ବୟାନ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର ଆଗାମୀ ୨୫ ବର୍ଷ ଧରି ଶାସନ ଗାଦିରେ ରହିବ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିଥିବାରୁ ଏହା ଓଡ଼ିଶାବାସୀଙ୍କ ଗଭୀର ଆସ୍ଥାଭାଜନ ହୋଇପାରିଛି।
ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ଦୁଇ ବର୍ଷର ନିର୍ବାଚନୀ ଫଳାଫଳ ଏହାର ସ୍ପଷ୍ଟ ପ୍ରମାଣ ଦେଇଛି ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପିର ଏହି ପ୍ରଭାବଶାଳୀ ଧାରା ସ୍ପଷ୍ଟ ଭାବେ ଦେଖିବାକୁ ମିଳିବ। ୨୦୩୬ ମସିହା ସୁଦ୍ଧା ଏକ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ରାଜ୍ୟ ସରକାର ଏବେଠାରୁ ରୋଡ୍ମ୍ୟାପ୍ ବା ଚିତ୍ର ଆଙ୍କି ସାରିଛନ୍ତି ଏବଂ ସେହି ଅନୁଯାୟୀ କାର୍ଯ୍ୟ ଜାରି ରହିଛି। ବିଜେପି ସରକାରର ସ୍ୱଚ୍ଛ ଶାସନକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏହି କାର୍ଯ୍ୟକାଳ ମଧ୍ୟରେ ବିରୋଧୀ ଦଳ ଏପର୍ଯ୍ୟନ୍ତ ଦୁର୍ନୀତି ନେଇ କୌଣସି ପ୍ରଶ୍ନ ଉଠାଇବାକୁ ସାମାନ୍ୟତମ ସୁଯୋଗ ପାଇନାହାନ୍ତି।
ସରକାର ପ୍ରତିଟି କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିଛନ୍ତି, ଯାହା ବିରୋଧୀଙ୍କୁ ମୁଦ୍ଦାବିହୀନ କରିଦେଇଛି। ଏହି ଅବସରରେ ସେ ଏକ ବଡ଼ ରାଜନୈତିକ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରମୁଖ ଦଳର ଅନେକ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। “ବିଜେପି ଏକ ସମୁଦ୍ର ଭଳି ବିଶାଳ ଦଳ ଏବଂ ଏଠାରେ ସମସ୍ତଙ୍କ ପାଇଁ ସ୍ଥାନ ଅଛି।
ଗତ ଦୁଇ ବର୍ଷ ମଧ୍ୟରେ ଅନେକ ପ୍ରତିଷ୍ଠିତ ନେତା ବିଜେପି ପରିବାରକୁ ଆସିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ,” ବୋଲି ଅଶୋକ ମହାନ୍ତି ସୂଚନା ଦେଇଛନ୍ତି। ବିଧାୟକଙ୍କ ଏହି ଦୃଢ଼ ବୟାନ ଏବେ ରାଜ୍ୟ ରାଜନୀତି ଗ୍ୟାଲେରୀରେ ଚର୍ଚ୍ଚାର ବିଷୟ ପାଲଟିଛି।




