ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଶିକ୍ଷାବିତ୍‌ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କ ଅନଶନ ସୋମବାର ୧୬ତମ ଦିନରେ ପହଞ୍ଚିଛି। ଦୀର୍ଘ ଅନଶନ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦ୍ବେଗ ବଢ଼ୁଥିବା ବେଳେ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଜୁଲାଇ ୨୦ରେ ଦିଲ୍ଲୀ ଯାଇ ଯନ୍ତରମନ୍ତରରେ ଚାଲିଥିବା ଧାରଣାସ୍ଥଳ ପରିଦର୍ଶନ କରିବେ। ସେହିପରି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଆନ୍ଦୋଳନସ୍ଥଳକୁ ଯାଇ ସମର୍ଥନ ଜଣାଇବାକୁ ଆହ୍ୱାନ କରିଛନ୍ତି।

ଏହି ଆନ୍ଦୋଳନକୁ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ, ଟିଏମସି ସାଂସଦ ମହୁଆ ମୋଇତ୍ରା ଓ କୀର୍ତ୍ତି ଆଜାଦଙ୍କ ସମେତ ସିପିଆଇ(ଏମ୍‌)ର ଏମ୍‌.ଏ. ବେବି, ବୃନ୍ଦା କରାତ ଓ କେ.କେ. ଶୈଳଜା ମଧ୍ୟ ସମର୍ଥନ କରିଛନ୍ତି।

ସିଜେପି ପକ୍ଷରୁ କୁହାଯାଇଛି ଯେ, ଅନଶନର ୧୬ ଦିନ ମଧ୍ୟରେ ସୋନମ ୱାଙ୍ଗଚୁକ୍‌ଙ୍କ ଓଜନ ୮.୨ କିଲୋଗ୍ରାମ କମିଯାଇଛି। ସେହିପରି ତାଙ୍କ ରକ୍ତରେ ଶର୍କରାର ମାତ୍ରା ୬୭ ଏମ୍‌ଜି/ଡିଏଲ୍‌କୁ ଖସିଆସିଥିବାରୁ ସ୍ୱାସ୍ଥ୍ୟ ନେଇ ଚିନ୍ତା ବଢ଼ିଛି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସିଜେପି ପକ୍ଷରୁ ଯନ୍ତରମନ୍ତରରେ ଚାଲିଥିବା ଧାରଣା ସୋମବାର ସୁଦ୍ଧା ୨୪ତମ ଦିନରେ ପହଞ୍ଚିଛି।