ଜେରୁସାଲେମ: ଇସ୍ରାଏଲର ପରବର୍ତ୍ତୀ ସାଧାରଣ ନିର୍ବାଚନ ଅକ୍ଟୋବର ୨୭ରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଘୋଷଣା ପରେ ଦେଶର ରାଜନୈତିକ ପରିବେଶ ସରଗରମ ହୋଇଉଠିଛି। ୨୦୨୩ ଅକ୍ଟୋବର ୭ରେ ହମାସ ଆକ୍ରମଣ ଏବଂ ଗାଜା, ଲେବାନନ ଓ ଇରାନକୁ କେନ୍ଦ୍ର କରି ହୋଇଥିବା ସଂଘର୍ଷ ପରେ ଏହା ଦେଶର ପ୍ରଥମ ଜାତୀୟ ନିର୍ବାଚନ ହେବାରୁ ଏହାକୁ ବେଶ୍ ଗୁରୁତ୍ୱର ସହ ଦେଖାଯାଉଛି।
ଦୀର୍ଘ ସମୟ ଧରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ରହିଆସୁଥିବା ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ଏହି ନିର୍ବାଚନ ରାଜନୈତିକ ଭାବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି ଆକଳନ କରାଯାଉଛି। ୭୬ ବର୍ଷୀୟ ନେତାନ୍ୟାହୁ ପୁଣିଥରେ ନିର୍ବାଚନ ଲଢ଼ି ସରକାର ଗଠନ କରିବା ନେଇ ଆଶାବାଦୀ ଥିଲେ ମଧ୍ୟ ସାମ୍ପ୍ରତିକ ଜନମତ ସର୍ଭେ ତାଙ୍କ ପାଇଁ ଉତ୍ସାହଜନକ ନୁହେଁ। ମାର୍ଚ୍ଚରେ ତାଙ୍କ ପ୍ରତି ସମର୍ଥନ ପ୍ରାୟ ୪୦.୫ ପ୍ରତିଶତ ଥିବାବେଳେ ଜୁନ୍ରେ ତାହା ହ୍ରାସ ପାଇ ୨୯.୪ ପ୍ରତିଶତକୁ ଖସିଆସିଥିବା କୁହାଯାଉଛି।
ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ୨୦୨୩ ଅକ୍ଟୋବର ୭ର ସୁରକ୍ଷା ବିଫଳତା ଅନ୍ୟତମ। ଏହାକୁ ନେଇ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ରହିଛି। ସେହିପରି ଇରାନ ସହ ହୋଇଥିବା ସଂଘର୍ଷ, ପରବର୍ତ୍ତୀ ଅସ୍ତ୍ରବିରତି ଏବଂ ସୁରକ୍ଷା ନୀତିକୁ ନେଇ ମଧ୍ୟ ସରକାର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷରେ ଅଲ୍ଟ୍ରା-ଅର୍ଥୋଡକ୍ସ ଇହୁଦୀ ସମ୍ପ୍ରଦାୟଙ୍କ ବାଧ୍ୟତାମୂଳକ ସାମରିକ ନିଯୁକ୍ତି ପ୍ରସଙ୍ଗ ମଧ୍ୟ ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି। ମେଣ୍ଟର କିଛି ଦଳ ସେମାନଙ୍କୁ ସାମରିକ ସେବାରୁ ଛାଡ଼ ଦେବାକୁ ଦାବି କରୁଥିବାବେଳେ, ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ଅଧିକ ସୈନିକ ଆବଶ୍ୟକ ବୋଲି ସାଧାରଣ ଲୋକ ଏବଂ ସେନା ମହଲର ମତ ରହିଛି।
ଏହାଛଡ଼ା ନେତାନ୍ୟାହୁଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲା, ବିବାଦୀୟ ନ୍ୟାୟିକ ସଂସ୍କାର ଏବଂ ଗାଜାର ଯୁଦ୍ଧ ପରବର୍ତ୍ତୀ ବ୍ୟବସ୍ଥାକୁ ନେଇ ମଧ୍ୟ ଭୋଟରଙ୍କ ମତ ପ୍ରଭାବିତ ହୋଇପାରେ। ପୂର୍ବତନ ସେନାମୁଖ୍ୟ ଗାଦି ଆଇଜେନକୋଟ ଏଥର ନେତାନ୍ୟାହୁଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବାବେଳେ, ସର୍ଭେ ଅନୁଯାୟୀ ବର୍ତ୍ତମାନର ଶାସକ ମେଣ୍ଟ ପାଇଁ ସ୍ପଷ୍ଟ ବହୁମତ ହାସଲ କରିବା ସହଜ ହେବ ନାହିଁ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।




