ମୁମ୍ବାଇ: ଟେଲିଭିଜନ ଅଭିନେତା ଜୟ ଭାନୁଶାଳୀଙ୍କ ଦ୍ୱିତୀୟ ବିବାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ପତ୍ନୀ ମାହି ବିଜଙ୍କଠାରୁ ଅଲଗା ହେବା ପରେ ୪୧ ବର୍ଷୀୟ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖାଯାଉଛି। ତେବେ ନିଜେ ଜୟ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି।
ସମ୍ପ୍ରତି ଜୟ ଭାନୁଶାଳୀ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଂ’ ସେସନ୍ କରିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ, “ଆପଣଙ୍କର କୌଣସି ପ୍ରେମିକା ଅଛନ୍ତି କି?” ଏହାର ଉତ୍ତରରେ ଜୟ ହସି ହସି କହିଥିଲେ, “କାହିଁକି ଏମିତି ପଚାରି କଷ୍ଟ ଦେଉଛ?”। ତାଙ୍କ ଏହି ମଜାଳିଆ ଉତ୍ତରକୁ ନେଇ ପ୍ରଶଂସକମାନେ ବିଭିନ୍ନ ଅର୍ଥ ବାହାର କରୁଛନ୍ତି।
ଜୟଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଇଙ୍ଗିତ ମିଳୁଛି ଯେ, ଛାଡ଼ପତ୍ର ପରେ ସେ ବର୍ତ୍ତମାନ କୌଣସି ନୂଆ ସମ୍ପର୍କରେ ନାହାନ୍ତି ଏବଂ ନିଜ ଜୀବନକୁ ଏକାକୀ ଭାବେ ଆଗକୁ ବଢ଼ାଉଛନ୍ତି।
ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ଜୟ ଭାନୁଶାଳୀ ଓ ମାହି ବିଜ ୨୦୧୧ ମସିହାରେ ବିବାହ କରିଥିଲେ। ଚଳିତ ବର୍ଷ ଆରମ୍ଭରେ ଉଭୟ ଅଲଗା ହେବାର ଘୋଷଣା କରିଥିଲେ, ଯାହା ସେମାନଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ତେବେ ବୈବାହିକ ସମ୍ପର୍କର ଇତି ଘଟିଥିଲେ ମଧ୍ୟ, ଝିଅ ତାରାଙ୍କ ଲାଳନପାଳନ ପାଇଁ ଉଭୟ ମିଳିତ ଭାବେ ଦାୟିତ୍ୱ ନିଭାଉଛନ୍ତି। ଜୟ ମଧ୍ୟ ଝିଅ ତାରାଙ୍କ ସହ ନିଜର ଘନିଷ୍ଠ ସମ୍ପର୍କ ବଜାୟ ରଖିଥିବା ଜଣାପଡ଼ିଛି।




