ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ପ୍ରାୟ ଏକ ବର୍ଷ ପୂର୍ବେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଜଗତସିଂହପୁର ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ମଙ୍ଗଳବାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ପ୍ରତ୍ୟେକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
କୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(ଡି) ଓ ୫୦୬ ଅନୁଯାୟୀ ଦୋଷୀମାନଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଦେବା ସହ ପ୍ରତ୍ୟେକଙ୍କ ଉପରେ ୧୦ ହଜାର ଟଙ୍କାର ଅର୍ଥଦଣ୍ଡ ଲାଗୁ କରିଛନ୍ତି। ଏହାଛଡ଼ା ପୀଡ଼ିତାଙ୍କୁ ଓଡ଼ିଶା କ୍ଷତିପୂରଣ ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀ ଅନୁସାରେ, ୨୦୨୪ ଫେବ୍ରୁଆରି ୩ ତାରିଖ ସନ୍ଧ୍ୟାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକାନା ରେଳ ଷ୍ଟେସନ ନିକଟରେ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ୩ ଜଣ ଅଭିଯୁକ୍ତ ମିଳିତ ଭାବେ ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ପୁଲିସ ତିର୍ତ୍ତୋଲ ଅଞ୍ଚଳର ରଞ୍ଜନ କୁମାର ଶିଳ (୨୬), ବିଶ୍ୱରଞ୍ଜନ ନାୟକ (୨୯) ଏବଂ ସୁରେଶ କୁମାର ବେହେରା (୪୦)ଙ୍କୁ ଗିରଫ କରିଥିଲା।
ଏହି ମାମଲାର ତଦନ୍ତ ଓଡ଼ିଶା ପୁଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (W&CW) କରିଥିଲା। ଶାଖାର ଡିଏସ୍ପି ଇମାନ କଲ୍ୟାଣ ନାୟକ ତଦନ୍ତ ଶେଷ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ। ତଦନ୍ତରେ ସଂଗୃହୀତ ପ୍ରମାଣ, ସାକ୍ଷ୍ୟ ଓ ଚାର୍ଜସିଟ୍କୁ ଆଧାର କରି ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।




