ଭୁବନେଶ୍ୱର: ମହିଳା ନେତୃତ୍ୱକୁ ଆହୁରି ସଶକ୍ତ କରିବା ଏବଂ ବିଭିନ୍ନ କ୍ଷେତ୍ରର ସଫଳ ମହିଳାମାନଙ୍କ ମଧ୍ୟରେ ସହଯୋଗ ଓ ଅଭିଜ୍ଞତା ବିନିମୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ଓଡ଼ିଶା ମହିଳା ଲିଡର୍ସ ସମ୍ମିଳନୀ–୨୦୨୬’ ମଙ୍ଗଳବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଉଦ୍ୟୋଗ, ବ୍ୟବସାୟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଆତିଥ୍ୟ, ଗଣମାଧ୍ୟମ, ସାମାଜିକ କାର୍ଯ୍ୟ ଓ ସାର୍ବଜନିକ ଜୀବନ ସହ ଜଡ଼ିତ ୨୮ ଜଣ ବିଶିଷ୍ଟ ମହିଳା ନେତୃତ୍ୱ ଏକାଠି ହୋଇଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତୃତ୍ୱ, ରାଷ୍ଟ୍ର ଗଠନ ଓ ସାମାଜିକ ପରିବର୍ତ୍ତନରେ ମହିଳାଙ୍କ ଅବଦାନ ଉପରେ ମତ ରଖିଥିଲେ। ସେ ମହିଳା ନେତୃତ୍ୱମାନଙ୍କ ମଧ୍ୟରେ ପରସ୍ପର ସହଯୋଗ, ପରାମର୍ଶ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ଗଠନର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଇଣ୍ଡଲଜ୍‌ର ପ୍ରତିଷ୍ଠାତା ସୁକୀର୍ତି ପଟ୍ଟନାୟକ କହିଥିଲେ ଯେ, ଏହି ସମ୍ମିଳନୀ କେବଳ ସଫଳତାର ଉତ୍ସବ ପାଳନ ପାଇଁ ନୁହେଁ; ବରଂ ମହିଳାମାନଙ୍କ ମଧ୍ୟରେ ଦୃଢ଼ ନେଟୱର୍କ ଗଠନ, ଅଭିଜ୍ଞତା ବାଣ୍ଟିବା, ପରସ୍ପରକୁ ପ୍ରେରଣା ଦେବା ଏବଂ ସମାଜ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ। ଭବିଷ୍ୟତରେ ଏହାକୁ ଏକ ବାର୍ଷିକ ପ୍ଲାଟଫର୍ମ ଭାବେ ବିକଶିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ସମ୍ମିଳନୀରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଓ ସହଯୋଗ ପ୍ରଦାନ ପାଇଁ ଗଠିତ ‘ଇଣ୍ଡିଭର୍ସ’ ପଦକ୍ଷେପ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏଭଳି ପ୍ଲାଟଫର୍ମ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ବିଧାୟିକା ସୋଫିଆ ଫିରଦୋସ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ବିଶିଷ୍ଟ ମହିଳା ଉଦ୍ୟୋଗୀ ପଦ୍ମିନୀ ପାଣିଗ୍ରାହୀ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏଭିପି ସୁପର୍ଣ୍ଣା ନନ୍ଦଙ୍କ ସମେତ ବିଭିନ୍ନ କ୍ଷେତ୍ରର ଅନେକ ପ୍ରତିଷ୍ଠିତ ମହିଳା ନେତୃତ୍ୱ ଉପସ୍ଥିତ ଥିଲେ।