ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (CCEA) ବୈଠକରେ ଓଡ଼ିଶାର ପାରାଦୀପ-ହରିଦାସପୁର ରେଳପଥର ଦୋହରୀକରଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହା ସହ ଝାଡ଼ଖଣ୍ଡର ରାଜଖରସୱାନ-ଡାଙ୍ଗୋଆପୋଷୀ ରେଳପଥରେ ଚତୁର୍ଥ ଲାଇନ୍‌ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ଉଭୟ ପ୍ରକଳ୍ପର ମୋଟ ଲମ୍ବ ୧୪୫ କିଲୋମିଟର ହୋଇଥିବାବେଳେ, ଏଥିପାଇଁ ପ୍ରାୟ ୩୯୦୭ କୋଟି ଟଙ୍କା ବ୍ୟୟ ହେବ। ୨୦୩୦-୩୧ ସୁଦ୍ଧା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।

ଏହି ରେଳ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଓ ଝାଡ଼ଖଣ୍ଡର ଚାରିଟି ଜିଲ୍ଲା ସିଧାସଳଖ ଭାବେ ଲାଭାନ୍ୱିତ ହେବ। ସେହିପରି ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, ଶ୍ରୀ ବଳଦେବଜିଉ ମନ୍ଦିର ଏବଂ ମେଘହାତୁବୁରୁ ପାହାଡ଼ ପରି ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ରେଳ ସଂଯୋଗ ଅଧିକ ସୁଦୃଢ଼ ହେବ। ପ୍ରାୟ ୧୫୨୬ଟି ଗ୍ରାମର ୧୪ ଲକ୍ଷରୁ ଅଧିକ ଲୋକ ଏହି ପ୍ରକଳ୍ପର ସୁଫଳ ପାଇବେ ବୋଲି ସରକାର ଆକଳନ କରିଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ରେଳ ଚଳାଚଳ ଅଧିକ ସୁଗମ ହେବ ଏବଂ ବ୍ୟସ୍ତ ରୁଟ୍‌ଗୁଡ଼ିକରେ ଟ୍ରାଫିକ୍‌ ଚାପ ହ୍ରାସ ପାଇବ। ‘ପିଏମ୍‌ ଗତିଶକ୍ତି-ଜାତୀୟ ମାଷ୍ଟର ପ୍ଲାନ୍‌’ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ସହ ପରିବହନ ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବ।

ଏହି ରେଳପଥ ବିକାଶ ଯୋଗୁଁ ଯାତ୍ରୀ ସେବା ସହିତ ସାମଗ୍ରୀ ପରିବହନରେ ମଧ୍ୟ ବଡ଼ ଧରଣର ସୁବିଧା ସୃଷ୍ଟି ହେବ। କୋଇଲା, ଲୁହାପଥର, ଡୋଲୋମାଇଟ୍‌, ଚୁନପଥର ଓ ଜିପ୍‌ସମ୍‌ ପରି ଖଣିଜ ପଦାର୍ଥର ପରିବହନ କ୍ଷମତା ବୃଦ୍ଧି ପାଇବ। ବାର୍ଷିକ ପ୍ରାୟ ୪୪ ନିୟୁତ ଟନ୍‌ ଅତିରିକ୍ତ ମାଲ ପରିବହନ ସମ୍ଭବ ହେବ ବୋଲି ଆକଳନ କରାଯାଇଛି।

ପରିବେଶ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ରେଳ ମାଧ୍ୟମରେ ଅଧିକ ମାଲ ପରିବହନ ହେବାରୁ ପ୍ରତିବର୍ଷ ପ୍ରାୟ ୬ କୋଟି ଲିଟର ଇନ୍ଧନ ସଞ୍ଚୟ ହେବା ସହ ୨୯ କୋଟି କିଲୋଗ୍ରାମ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ କମିବ। ଏହାର ପରିବେଶଗତ ପ୍ରଭାବ ପ୍ରାୟ ୧ କୋଟି ଗଛ ରୋପଣ ସହ ସମାନ ବୋଲି ସରକାର କହିଛନ୍ତି।