ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୨,୧୯,୩୫୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ ଅନୁମୋଦନ ମିଳିଛି। ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା, ମୋବାଇଲ୍ ଫୋନ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ରେଳ ଭିତ୍ତିଭୂମିର ବିକାଶକୁ ଏହି ନିଷ୍ପତ୍ତିରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ‘ସେମିକନ୍ ୨.୦’ କାର୍ଯ୍ୟକ୍ରମ ପାଇଁ ୧,୨୭,୫୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏହା ସହ ଦେଶରେ ମୋବାଇଲ୍ ଫୋନ୍ ଉତ୍ପାଦନକୁ ଅଧିକ ଗତି ଦେବା ପାଇଁ ୬୨,୫୦୦ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଛି। ସେହିପରି ଓଡ଼ିଶାର ପାରାଦୀପ-ହରିଦାସପୁର ରେଳପଥ ଦୋହରୀକରଣ ପାଇଁ ୧,୩୬୫ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ସବୁଜ ସଙ୍କେତ ଦିଆଯାଇଛି।
ସରକାରଙ୍କ କହିବା ଅନୁଯାୟୀ, ‘ସେମିକନ୍ ୨.୦’ ଯୋଜନା ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମର ଛଅଟି ପ୍ରମୁଖ ସ୍ତମ୍ଭ ହେଉଛି—ଡିଜାଇନ୍, ମେସିନ୍ ଓ କଞ୍ଚାମାଲ ଯୋଗାଣ, ଫ୍ୟାବ୍ ୟୁନିଟ୍ ସ୍ଥାପନ, ଏଟିଏମ୍ପି/ଓଏସ୍ଏଟି ଶିଳ୍ପର ବିକାଶ, ଗବେଷଣା ଓ ବିକାଶ (R&D) ଏବଂ ଦକ୍ଷ ମାନବ ସମ୍ପଦ ସୃଷ୍ଟି।
ବୈଠକରେ ଜାତୀୟ ୟୁରିଆ ନିବେଶ ନୀତି-୨୦୨୬କୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ଏହି ନୀତି ମାଧ୍ୟମରେ ଗ୍ୟାସ୍ ଆଧାରିତ ନୂତନ ୟୁରିଆ କାରଖାନା ସ୍ଥାପନକୁ ପ୍ରୋତ୍ସାହନ ମିଳିବ। ୨୦୧୨ର ନୀତି ତୁଳନାରେ ଏଥିରେ ଅନେକ ସଂଶୋଧନ କରାଯାଇଛି, ଯାହା ନିବେଶକଙ୍କ ପାଇଁ ଅଧିକ ସୁବିଧାଜନକ ହେବ।
ନୂତନ ନୀତିରେ ସ୍ଥାୟୀ ଓ ପରିବର୍ତ୍ତନଶୀଳ ଖର୍ଚ୍ଚକୁ ପୃଥକ କରାଯାଇଥିବା ବେଳେ, ଇକ୍ୱିଟି ଉପରେ ୧୨ ପ୍ରତିଶତ ରିଟର୍ଣ୍ଣ ବ୍ୟବସ୍ଥା ଲାଗୁ କରାଯାଇଛି। ବୈଦେଶିକ ମୁଦ୍ରା ବିନିମୟ ହାରର ପରିବର୍ତ୍ତନରୁ ସୁରକ୍ଷା ଦେବା ପାଇଁ ଚାରି ବର୍ଷ ପରେ ସ୍ଥାୟୀ ଖର୍ଚ୍ଚକୁ ଭାରତୀୟ ମୁଦ୍ରାରେ ପରିଣତ କରାଯିବ। ସରକାରଙ୍କ ଆକଳନ ଅନୁଯାୟୀ, ଏହି ପରିବର୍ତ୍ତନ ଫଳରେ ପ୍ରତ୍ୟେକ ନୂତନ ୟୁରିଆ କାରଖାନା ସ୍ଥାପନରେ ପ୍ରାୟ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସମ୍ଭବ ହେବ।




