କଟକ: ଆନିମେଟେଡ୍‌ ଫିଚର୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ର ମୁକ୍ତିଲାଭ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି। ଜୁଲାଇ ୧୭ରେ ଏଲି ଆନିମେସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଫିଲ୍ମଟି ରିଲିଜ୍‌ କରାଯିବାର ଯୋଜନା ଥିବାବେଳେ, ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାର ପ୍ରଦର୍ଶନ ଉପରେ ଅଦାଲତ ସ୍ଥଗିତାଦେଶ ଜାରି କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାର, କେନ୍ଦ୍ର ସରକାର, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (CBFC), ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ଏଲି ଆନିମେସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ଙ୍କୁ ଜବାବ ଦାଖଲ କରିବାକୁ ନୋଟିସ୍‌ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫ ତାରିଖରେ ହେବ।

ଜନସ୍ୱାର୍ଥ ଆବେଦନରେ ଦର୍ଶାଯାଇଛି ଯେ, ଫିଲ୍ମର ଟିଜର ଜୁନ୍‌ ୬ରେ ୟୁଟ୍ୟୁବ୍‌ରେ ପ୍ରକାଶ ପାଇବା ପରେ ପ୍ରଭୁ ଜଗନ୍ନାଥଙ୍କ ଚରିତ୍ର ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ମନଗଢ଼ା ଏବଂ ପାରମ୍ପରିକ ରୀତିନୀତି ବିରୋଧୀ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ନେଇ ବିଭିନ୍ନ ମହଳରୁ ଆପତ୍ତି ଉଠିଥିଲା। ପରେ ଫିଲ୍ମଟିକୁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ପ୍ରଦର୍ଶନ କରାଯାଇଥିଲା।

ପ୍ରଦର୍ଶନ ପରେ ଫିଲ୍ମର କିଛି ଦୃଶ୍ୟ ଧାର୍ମିକ ପରମ୍ପରା ସହ ସଙ୍ଗତିପୂର୍ଣ୍ଣ ନ ଥିବା ନେଇ ଆପତ୍ତି ଉଠିଥିଲା। ପ୍ରଯୋଜନା ସଂସ୍ଥା ସଂଶୋଧନ କରିବାର ଆଶ୍ୱାସନ ଦେଇଥିଲେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ନ କରି ଫିଲ୍ମକୁ ରିଲିଜ୍‌ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ମହେଶ କୁମାର ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିଲା।

ଆବେଦନକାରୀମାନେ ଫିଲ୍ମର ଆପତ୍ତିଜନକ ଦୃଶ୍ୟଗୁଡ଼ିକରେ ସଂଶୋଧନ କରିବା, CBFC ପକ୍ଷରୁ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ୍‌ ପ୍ରତ୍ୟାହାର କରିବା ଏବଂ ମାମଲାର ଅନ୍ତିମ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଫିଲ୍ମର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଏବଂ ଆଇନଜୀବୀ ସମ୍ବିତ କୁମାର ପତ୍ରୀ ମାମଲା ପରିଚାଳନା କରୁଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଆଇନଜୀବୀ ଦେବାଶିଷ ତ୍ରିପାଠୀ ଅଦାଲତରେ ପକ୍ଷ ରଖିଛନ୍ତି।