ନୂଆଦିଲ୍ଲୀ: ମହିଳାଙ୍କ ସ୍ତନକୁ ଜୋରରେ ଧରିବା ଏବଂ ସାଲୱାର ଖୋଲିବାକୁ ଉଦ୍ୟମ କରିବାକୁ ‘ଦୁଷ୍କର୍ମ ଉଦ୍ୟମ’ ଭାବେ ଗଣାଯାଇପାରିବ ନାହିଁ ବୋଲି ପାଟନା ହାଇକୋର୍ଟ ଦେଇଥିବା ରାୟକୁ ନେଇ ସୁପ୍ରିମ୍କୋର୍ଟ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ଏପରି ସମ୍ବେଦନଶୀଳ ମାମଲାରେ ରାୟ ଦେବା ପୂର୍ବରୁ ଆଇନଗତ ଦୃଷ୍ଟିକୋଣରୁ ଗଭୀର ଅଧ୍ୟୟନ କରିବା ଆବଶ୍ୟକ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଯୌନ ଅପରାଧ ସମ୍ବନ୍ଧୀୟ ମାମଲାରେ ନ୍ୟାୟିକ ଦୃଷ୍ଟିଭଙ୍ଗୀକୁ ନେଇ ସ୍ୱତଃପ୍ରବୃତ୍ତ ଶୁଣାଣି କରୁଥିବା ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ପାଟନା ହାଇକୋର୍ଟଙ୍କ ସଦ୍ୟ ରାୟ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟ ପରେ ଏଭଳି ଆଉ ଏକ ରାୟ ଆସିବା ଗଭୀର ଚିନ୍ତାର ବିଷୟ।
ଏହାର ଜବାବରେ ସୁପ୍ରିମ୍କୋର୍ଟ କହିଥିଲେ ଯେ, ଯୌନ ଅପରାଧ ସମ୍ବନ୍ଧୀୟ ମାମଲାରେ ବିଚାରପତିମାନଙ୍କ ଅଧିକ ସମ୍ବେଦନଶୀଳ ଓ ସତର୍କ ରହିବା ଦରକାର। ଏପରି ମାମଲାର ବିଚାର ପାଇଁ ଜାତୀୟ ନ୍ୟାୟିକ ଏକାଡେମି ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକାକୁ ସୁପ୍ରିମ୍କୋର୍ଟ ଓ ସମସ୍ତ ହାଇକୋର୍ଟଙ୍କ ୱେବସାଇଟ୍ରେ ଉପଲବ୍ଧ କରାଯିବ, ଯାହାଦ୍ୱାରା ସମସ୍ତ ବିଚାରପତି ଏହାକୁ ଅଧ୍ୟୟନ କରିପାରିବେ।
ଉଲ୍ଲେଖଯୋଗ୍ୟ, ପାଟନା ହାଇକୋର୍ଟ ଏକ ମାମଲାରେ ରାୟ ଦେଇ କହିଥିଲେ ଯେ, ମହିଳାଙ୍କ ସାଲୱାର ଖୋଲିବାକୁ ଉଦ୍ୟମ କରିବା ଓ ସ୍ତନକୁ ଚିପିବା ଘଟଣାକୁ ସିଧାସଳଖ ‘ଦୁଷ୍କର୍ମ ଉଦ୍ୟମ’ ବୋଲି କୁହାଯାଇପାରିବ ନାହିଁ। ହାଇକୋର୍ଟଙ୍କ ମତରେ, ଏହା ମହିଳାଙ୍କ ଶ୍ଳୀଳତାହାନି ସମ୍ବନ୍ଧୀୟ ଅପରାଧର ପରିସର ମଧ୍ୟରେ ଆସିଥାଏ। ଏହି ରାୟ ଆଧାରରେ ତଳ ଅଦାଲତଙ୍କ ‘ଦୁଷ୍କର୍ମ ଉଦ୍ୟମ’ ସମ୍ବନ୍ଧୀୟ ଦୋଷୀ ସାବ୍ୟସ୍ତ ରାୟକୁ ମଧ୍ୟ ବାତିଲ କରାଯାଇଥିଲା।
ସୁପ୍ରିମ୍କୋର୍ଟ ସ୍ମରଣ କରାଇଛନ୍ତି ଯେ, ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ସମାନ ପ୍ରକାରର ଏକ ରାୟକୁ ଶୀର୍ଷ ଅଦାଲତ ବାତିଲ କରିଥିଲେ। ସେହି ରାୟରେ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଥିଲେ ଯେ, ପୀଡ଼ିତାଙ୍କ ସ୍ତନକୁ ଧରିବା, ପୋଷାକ ଖୋଲିବାକୁ ଉଦ୍ୟମ କରିବା ଭଳି କାର୍ଯ୍ୟ ପରିସ୍ଥିତି ଓ ଉଦ୍ଦେଶ୍ୟ ଅନୁଯାୟୀ ‘ଦୁଷ୍କର୍ମ ଉଦ୍ୟମ’ ଭାବେ ବିବେଚିତ ହୋଇପାରେ।
ପାଟନା ହାଇକୋର୍ଟଙ୍କ ଏହି ରାୟ ଉପରେ ସୁପ୍ରିମ୍କୋର୍ଟଙ୍କ କଡ଼ା ମନ୍ତବ୍ୟ ପରେ ନ୍ୟାୟିକ ମହଲରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।




