ନୂଆଦିଲ୍ଲୀ: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରଥଯାତ୍ରାକୁ ଭାରତର ଚିରନ୍ତନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ “ଦୀପ୍ତିମାନ ଅଭିବ୍ୟକ୍ତି” ଭାବେ ବର୍ଣ୍ଣନା କରିବା ସହ ସମାଜରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ସେ କାମନା କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି: “ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଉଜ୍ଜ୍ୱଳ ନିଦର୍ଶନ। ରଥଯାତ୍ରା ସହ ଜଡ଼ିତ ପରମ୍ପରା ଭାରତ ତଥା ସମଗ୍ର ବିଶ୍ୱର ପିଢ଼ି ପିଢ଼ିକୁ ଅନୁପ୍ରାଣିତ କରିଆସିଛି। ଏହା ନମ୍ରତା, ସାମୂହିକ ସହଭାଗିତା ଏବଂ ନିଷ୍କାମ ସେବାର ଶିକ୍ଷା ଦେଇଥାଏ।”ସେ ଆହୁରି ମଧ୍ୟ ଲେଖିଛନ୍ତି, “ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ। ଆମର ସମସ୍ତ ପ୍ରଚେଷ୍ଟା ପାଇଁ ସେ ଆମକୁ ଶକ୍ତି ଦିଅନ୍ତୁ ଏବଂ ସମାଜରେ ଏକତା ଓ ସଦଭାବନାକୁ ଅଧିକ ସୁଦୃଢ଼ କରନ୍ତୁ। ଜୟ ଜଗନ୍ନାଥ!”
ଭାରତର ସବୁଠାରୁ ବଡ଼ ଏବଂ ପବିତ୍ର ଧାର୍ମିକ ମହୋତ୍ସବ ମଧ୍ୟରୁ ଅନ୍ୟତମ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରା ଆଜି ଓଡ଼ିଶାର ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି। ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଏହି ଭବ୍ୟ ବାର୍ଷିକ ଯାତ୍ରାକୁ ଦେଖିବା ପାଇଁ ସାରା ଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଶତାବ୍ଦୀ ପୁରୁଣା ଏହି ଉତ୍ସବର ଏକ ବିଶେଷ ମହତ୍ତ୍ୱ ରହିଛି, କାରଣ ଏହି ଦିନ ଶ୍ରୀଜୀଉମାନେ ଗର୍ଭଗୃହ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଇ ଧନ୍ୟ କରନ୍ତି। ଜୟ ଜଗନ୍ନାଥ ଧ୍ୱନି, ହରିବୋଲ ଓ ହୁଳହୁଳି ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ତିନୋଟି ଆକର୍ଷଣୀୟ କାଠ ରଥକୁ ଟାଣି ମାଉସୀ ମା’ ମନ୍ଦିରକୁ ନେଉଛନ୍ତି।
ଓଡ଼ିଶା ବ୍ୟତୀତ ଗୁଜରାଟର ଅହମ୍ମଦାବାଦସ୍ଥିତ ଜମାଲପୁର ଅଞ୍ଚଳରେ ଥିବା ପ୍ରାୟ ୪୦୦ ବର୍ଷର ପୁରୁଣା ଶ୍ରୀ ଜଗନ୍ନାଥଜୀ ମନ୍ଦିରରୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା (ଆଷାଢ଼ୀ ବିଜ୍) ଅବସରରେ ପାରମ୍ପରିକ ରଥଯାତ୍ରା ବାହାରିଛି। ପୁରୀ ପରେ ଏହାକୁ ଦେଶର ଦ୍ୱିତୀୟ ବୃହତ୍ତମ ରଥଯାତ୍ରା କୁହାଯାଏ, ଯେଉଁଠାରେ ଲକ୍ଷ ଲକ୍ଷ ଭକ୍ତ ସାମିଲ ହୋଇଛନ୍ତି।




