ଭୁବନେଶ୍ୱର/ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ କୋଟି କୋଟି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଧବାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ପ୍ଲାଟଫର୍ମ ‘ସମର୍ପଣ’ର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଦେଶ ବିଦେଶରେ ଥିବା ଭକ୍ତମାନେ ଶ୍ରୀମନ୍ଦିର ନଯାଇ ମଧ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସୁରକ୍ଷାର ସହ ସିଧାସଳଖ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜର ଦାନ ଅର୍ଥ ଅର୍ପଣ କରିପାରିବେ।
ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଏହି ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଓକାକ ଦ୍ୱାରା ବିକଶିତ ହୋଇଥିବା ଏହି ନିରାପଦ ପ୍ଲାଟଫର୍ମକୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ୍ ପୋର୍ଟାଲ ସହିତ ସଂଯୁକ୍ତ କରାଯାଇଛି।
ବିକାଶ ଓ ରକ୍ଷଣାବେକ୍ଷଣରେ ବିନିଯୋଗ ହେବ ଦାନ ଅର୍ଥ:
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ସହ ଆଧ୍ୟାତ୍ମିକ ଭାବେ ଯୋଡ଼ିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ। ଡିଜିଟାଲ ହୁଣ୍ଡି ଜରିଆରେ ସଂଗୃହିତ ସମସ୍ତ ଦାନ ଅର୍ଥ ଶ୍ରୀମନ୍ଦିରର ସର୍ବାଙ୍ଗୀନ ବିକାଶ, ପରମ୍ପରାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବିନିଯୋଗ ହେବ। ଏଥିପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ସହିତ ସହଜ ମୋବାଇଲ୍ ଆପ୍ ମଧ୍ୟ ଜାରି କରାଯାଇଛି।
‘ସମର୍ପଣ’ ଆପ୍ରେ କିପରି କରିବେ ଦାନ?
- ସହଜ ଲଗ୍-ଇନ୍: ଶ୍ରଦ୍ଧାଳୁମାନେ ନିଜ ମୋବାଇଲ୍ ନମ୍ବର ଏବଂ ଓଟିପି (OTP) ମାଧ୍ୟମରେ ସହଜରେ ଏହି ଆପ୍ କିମ୍ବା ପୋର୍ଟାଲରେ ଲଗ୍-ଇନ୍ କରିପାରିବେ।
- ଅନେକ ପେମେଣ୍ଟ ମାଧ୍ୟମ: ଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏଥିରେ ୟୁପିଆଇ (UPI), ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଓ କ୍ରେଡିଟ୍ କାର୍ଡ ସମେତ ହ୍ୱାଟସ୍-ଆପ୍ (WhatsApp) ମାଧ୍ୟମରେ ମଧ୍ୟ ପେମେଣ୍ଟ କରିବାର ସୁବିଧା ରହିଛି।
- ତୁରନ୍ତ ଡିଜିଟାଲ ରସିଦ୍: ଦାନ ପ୍ରକ୍ରିୟା ସଫଳ ହେବା ମାତ୍ରେ ଭକ୍ତମାନେ ତୁରନ୍ତ ନିଜର ଡିଜିଟାଲ ରସିଦ୍ ଡାଉନ୍ଲୋଡ୍ କରିପାରିବେ।
- ନାହିଁ କୌଣସି ଆର୍ଥିକ ସୀମା: ଭକ୍ତମାନେ ନିଜ ଶ୍ରଦ୍ଧା ଅନୁସାରେ ଯେକୌଣସି ପରିମାଣର ଅର୍ଥ ଦାନ କରିପାରିବେ, ଏଥିପାଇଁ କୌଣସି ସର୍ବନିମ୍ନ କିମ୍ବା ସର୍ବାଧିକ ଆର୍ଥିକ ସୀମା ଧାର୍ଯ୍ୟ କରାଯାଇ ନାହିଁ।




