ପୁରୀ: ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା କିମ୍ବା ଅସଦାଚରଣକୁ କଦାପି ବରଦାସ୍ତ କରାଯିବ ନାହିଁ। ଏହା ପୁଣି ଥରେ ପ୍ରମାଣିତ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA)। ମହାପ୍ରଭୁଙ୍କ ନୀତି ସମ୍ପାଦନ ସମୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଦତ୍ତମହାପାତ୍ର ନିଯୋଗର ସେବାୟତ ରଶ୍ମିରଞ୍ଜନ ଦତ୍ତମହାପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ଶ୍ରୀମନ୍ଦିର କମାଣ୍ଡର୍ଙ୍କ ପକ୍ଷରୁ ଦିଆଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟାଦେଶ ପର୍ଯ୍ୟନ୍ତ ସେବାୟତ ରଶ୍ମିରଞ୍ଜନ ଶ୍ରୀମନ୍ଦିରର ସମସ୍ତ ପ୍ରକାର ସେବାପୂଜା କାର୍ଯ୍ୟରୁ ବଞ୍ଚିତ ରହିବେ।
ମିଳିଥିବା ସୂଚନା ମୁତାବକ, ବୁଧବାର ମହାପ୍ରଭୁଙ୍କ ପବିତ୍ର ‘ଉଭାପର୍ବ’ ଅବସରରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ନୀତିକାନ୍ତି ପାଳନ କରାଯାଉଥିଲା। ଏହି ସମୟରେ ସେବାୟତ ଶ୍ରୀ ଦତ୍ତମହାପାତ୍ର କୌଣସି କାରଣକୁ ନେଇ ଅଶୋଭନୀୟ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଲିଖିତ ଅଭିଯୋଗ ହେବା ପରେ ପ୍ରଶାସନ ତୁରନ୍ତ ଘଟଣାକୁ ଗମ୍ଭୀରତାର ସହ ନେଇଥିଲା। ଠାକୁରଙ୍କ ନୀତି ସମ୍ପାଦନରେ ଶୃଙ୍ଖଳାରକ୍ଷା ତଥା ସମୟାନୁବର୍ତ୍ତିତା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ବ ଦେଇଆସୁଛି, ଯେଉଁଥିପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି।
ଅନ୍ୟପଟେ, ରଥଯାତ୍ରାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ସହଯୋଗ କରିଥିବାରୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତ ସେବାୟତ ନିଯୋଗକୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ରଥଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ସମୟାନୁବର୍ତ୍ତିତା, ଶୃଙ୍ଖଳା ଏବଂ ସମ୍ପୂର୍ଣ୍ଣ ଭକ୍ତିଭାବର ସହ ସମ୍ପାଦିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।




