ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହେବା ଯୋଗୁଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଓଡ଼ିଶାର ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବନ୍ଦରକୁ ଏଲସି-୩ ସତର୍କ ସୂଚନା ଜାରି କରାଯାଇଛି।ଆଇଏମଡି (IMD) ବୁଲେଟିନ୍ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା – ପଶ୍ଚିମବଙ୍ଗ ଉପକୂଳରେ ଏକ ସୁଦୃଶ୍ୟ ଲଘୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ବିଗିଡ଼ିବାରେ ଲାଗିଛି।

‘ଏଲସି-୩’ ସଙ୍କେତର ଅର୍ଥ ହେଉଛି ‘ସ୍ଥାନୀୟ ପ୍ରତିକୂଳ ପାଗ ଏବଂ ଝଟକା ପବନ ଯୋଗୁଁ ବନ୍ଦର ବିପଦରେ ରହିଛି’। ଏହି ଚେତାବନୀ ଆଧାରରେ ରାଜ୍ୟର ଚାରୋଟି ପ୍ରମୁଖ ବନ୍ଦର ଯଥା ପାରାଦୀପ, ଧାମରା, ଗୋପାଳପୁର ଏବଂ ପୁରୀକୁ ସମ୍ପୂର୍ଣ୍ଣ ଆଲର୍ଟ ବା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରରେ ସୃଷ୍ଟି ହୋଇଥିବା ଅଶାନ୍ତ ସ୍ଥିତି ଓ ତୀବ୍ର ପବନକୁ ଦୃଷ୍ଟିରେ ରଖି ସମସ୍ତ ଜାହାଜ ଚଳାଚଳ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଗୁଆ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

ଏହି ଲଘୁଚାପ ବଳୟ ସହ ଜଡ଼ିତ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡ଼କୁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ଫଳରେ ଓଡ଼ିଶା ଉପକୂଳରେ ବର୍ଷା ଓ ପବନର ବେଗ ଆହୁରି ବୃଦ୍ଧି ପାଇବ।

ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳରେ ପ୍ରତିକୂଳ ପାଗ ଯୋଗୁଁ ଜୁଲାଇ ୧୬ ରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଏବଂ ଛୋଟ ଡଙ୍ଗାଗୁଡ଼ିକୁ ଓଡ଼ିଶା ଉପକୂଳ ତଥା ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି।