ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଚାଲିଥିବା ବ୍ୟାପକ ଜନଆନ୍ଦୋଳନ ଓ ହିଂସାକାଣ୍ଡ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ପ୍ରତିବାଦକାରୀ ସଂଗଠନ ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ନିଜର ପ୍ରସ୍ତାବିତ ‘ଲଙ୍ଗ ମାର୍ଚ୍ଚ’କୁ ଆସନ୍ତା ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ ଏହାକୁ ପାକିସ୍ତାନ ସରକାରଙ୍କ ପାଇଁ “ଶେଷ ଚେତାବନୀ” ବୋଲି ସଂଗଠନ କହିଛି। ଗତ କିଛି ସପ୍ତାହ ଧରି ଚାଲିଥିବା ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୩୦ ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ଓ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା ପରେ JAAC ନେତା ଉମର ନାଜିର କାଶ୍ମୀରୀ ଏହି ନିଷ୍ପତ୍ତି ନେଇଛନ୍ତି। ଯଦି ଜୁଲାଇ ୨୧ ସୁଦ୍ଧା ଦାବି ପୂରଣ ନହୁଏ, ତେବେ ଜୁଲାଇ ୨୨ ରୁ ପୁନର୍ବାର ମୁଜାଫରାବାଦ ଅଭିମୁଖେ ମାର୍ଚ୍ଚ ଆରମ୍ଭ ହେବ। ଆନ୍ଦୋଳନକୁ ଦବାଇବା ପାଇଁ ପାକିସ୍ତାନ ସରକାର ୪,୦୦୦ ରୁ ଅଧିକ ରେଞ୍ଜର୍ସ ମୁତୟନ କରିବା ସହ ଇଣ୍ଟରନେଟ୍ ବନ୍ଦ ଓ ଗଣମାଧ୍ୟମ ଉପରେ କଟକଣା ଲଗାଇଛନ୍ତି।
ରାୱାଲାକୋଟ୍ର ଏକ ବିଶାଳ ସମାବେଶରେ JAAC ନେତା ସର୍ଦ୍ଦାର ଅମ୍ମାନ ଖାନ ପାକିସ୍ତାନର ମିଛ ପ୍ରୋପାଗାଣ୍ଡାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, “ଏଣିକି ସମସ୍ତେ PoK କୁ କେବଳ ବିବାଦୀୟ ଅଞ୍ଚଳ ନୁହେଁ, ବରଂ ପାକିସ୍ତାନ ଦ୍ୱାରା ଜବରଦସ୍ତ ମାଡ଼ି ବସାଯାଇଥିବା ‘ଅଧିକୃତ ଅଞ୍ଚଳ’ ବୋଲି କୁହନ୍ତୁ।” ଅନ୍ୟପଟେ PPP ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ମଧ୍ୟ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସେନା ମୁଖ୍ୟଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।




