ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଚାଲିଥିବା ବେଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ପୁରୀରେ ଆକାଶ ମେଘାଚ୍ଛନ୍ନ ରହିବା ସହ ମଧ୍ୟମ ଧରଣର ବର୍ଷା ଏବଂ ସାମାନ୍ୟ ବଜ୍ରପାତ ହେବାର ସମ୍ଭାବନା ରହିଛି। ବଡ଼ଦାଣ୍ଡରେ ଉପସ୍ଥିତ ଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ସକାଳ ୭ଟାରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ପୁରୀରେ ତାପମାତ୍ରା ୨୬ ରୁ ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ତେବେ ବାୟୁମଣ୍ଡଳରେ ଆଦ୍ରତା ଅତ୍ୟଧିକ ଅର୍ଥାତ୍ ୯୦ ରୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ, ଯାହା ଫଳରେ ଗୁଳୁଗୁଳି ଅନୁଭୂତ ହେବ। ଆଜି ସକାଳ ୫:୩୦ ସୁଦ୍ଧା ପୁରୀର ତାପମାତ୍ରା ୨୬.୮ ଡିଗ୍ରୀ ସେଲସିୟସ୍ ଏବଂ ଆଦ୍ରତା ୯୩ ପ୍ରତିଶତ ରେକର୍ଡ କରାଯାଇଛି।
ଶ୍ରଦ୍ଧାଳୁଙ୍କ ପାଇଁ ପାଣିପାଗ ବିଭାଗର ସୁରକ୍ଷା ଗାଇଡଲାଇନ୍:
ରଥଯାତ୍ରାରେ ସାମିଲ ହୋଇଥିବା ଭକ୍ତମାନଙ୍କ ସୁରକ୍ଷା ପାଇଁ ଆଇଏମଡି (IMD) ପକ୍ଷରୁ କେତେକ ବିଶେଷ ନିୟମ ପାଳନ କରିବାକୁ କୁହାଯାଇଛି:
- ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ: ବଜ୍ରପାତ, ପ୍ରବଳ ବର୍ଷା କିମ୍ବା ଜୋରରେ ପବନ ବହିବା ସମୟରେ କୌଣସି ଗଛ, ବିଦ୍ୟୁତ ଖୁଣ୍ଟ କିମ୍ବା ଅସ୍ଥାୟୀ ଚାଳିଆ ତଳେ ଆଶ୍ରୟ ନେଇ, ତୁରନ୍ତ କୌଣସି ପକ୍କା ଘର ବା ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ।
- ବୟସ୍କ ଓ ପିଲାମାନେ ସତର୍କ ରୁହନ୍ତୁ: ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଅସୁସ୍ଥ ଲୋକମାନେ ଅଧିକ ସମୟ ଧରି ବର୍ଷାରେ ଭିଜିବା କିମ୍ବା ପ୍ରବଳ ଭିଡ଼ ଜାଗାକୁ ଯିବାରୁ ଦୂରେଇ ରୁହନ୍ତୁ।
- ଖସଡ଼ା ଭୂଇଁ ପ୍ରତି ସାବଧାନ: ବଡ଼ଦାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଓଦା ଯୋଗୁଁ ପିଚ୍ଛିଳ ହୋଇପାରେ। ତେଣୁ ଶ୍ରଦ୍ଧାଳୁମାନେ ନଖସିବା ଭଳି ଜୋତା ବା ଚପଲ ପିନ୍ଧି ସତର୍କତାର ସହ ଚଲାବୁଲା କରନ୍ତୁ।
- ମୋବାଇଲ୍ ଓ ସାମଗ୍ରୀର ସୁରକ୍ଷା: ବର୍ଷା ଯୋଗୁଁ ନିଜର ମୋବାଇଲ୍ ଫୋନ୍, ଟଙ୍କା ପଇସା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ୱାଟରପ୍ରୁଫ୍ ବ୍ୟାଗରେ ସୁରକ୍ଷିତ ରଖନ୍ତୁ। ପାଣିପାଗର ଅପଡେଟ୍ ପାଇଁ ମୋବାଇଲକୁ ଚାର୍ଜ ରଖନ୍ତୁ।
- ସମୁଦ୍ର ସ୍ନାନ ବେଳେ ସାବଧାନତା: କେବଳ ପ୍ରଶାସନ ଦ୍ୱାରା ଚିହ୍ନିତ କରାଯାଇଥିବା ସୁରକ୍ଷିତ ସ୍ଥାନରେ ହିଁ ସମୁଦ୍ର ସ୍ନାନ କରନ୍ତୁ। ଜୁଆର ଆସିବା ସମୟରେ କିମ୍ବା ସମୁଦ୍ର ଅଶାନ୍ତ ଥିବା ବେଳେ ପାଣିକୁ ଆଦୌ ଯାଆନ୍ତୁ ନାହିଁ।




