ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ଓ ସବୁଜ ଶକ୍ତି କ୍ଷେତ୍ରରେ ଭାରତ ଆଜି ଏକ ନୂଆ ଇତିହାସ ରଚିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦ୍‌ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌ର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ, ଏହାକୁ ନେଇ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (UNEP) ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ ସୋଲହେମ ଭୂୟସୀ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ସେ ଲେଖିଛନ୍ତି, “ଭାରତ, ଏହା ବହୁତ ବଢ଼ିଆ ପଦକ୍ଷେପ!” ଏହାସହ ସେ ଆଶା ପ୍ରକାଶ କରିଛନ୍ତି ଯେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ହ୍ରାସ କରିବାରେ ଭାରତ ବିଶ୍ୱ ପାଇଁ ଏକ ଅନୁକରଣୀୟ ଉଦାହରଣ ସାଜିବ।

ଜଳୀୟ ବାଷ୍ପ ଛାଡ଼ିବ, ପ୍ରଦୂଷଣ ହେବନି

ଏହି ଅତ୍ୟାଧୁନିକ ଟ୍ରେନ୍‌ଟି ଜିନ୍ଦ୍‌ରୁ ସୋନପତ ମଧ୍ୟରେ ଚାଲିବ ଏବଂ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ। ପାରମ୍ପରିକ ଡିଜେଲ କିମ୍ବା ଓଭରହେଡ୍ ତାରରେ ଚାଲୁଥିବା ବୈଦ୍ୟୁତିକ ଟ୍ରେନ୍‌ ତୁଳନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ‘ପ୍ରୋଟନ୍ ଏକ୍ସଚେଞ୍ଜ ମେମ୍ବ୍ରେନ୍’ (PEM) ଫ୍ୟୁଏଲ ସେଲ୍ ବ୍ୟବହାର କରାଯାଇଛି। ସିଲିଣ୍ଡରରେ ଥିବା ହାଇଡ୍ରୋଜେନ ବାୟୁମଣ୍ଡଳର ଅମ୍ଳଜାନ ସହ ମିଶି ବିଦ୍ୟୁତ ଶକ୍ତି ସୃଷ୍ଟି କରିବ, ଯାହା ଦ୍ୱାରା ଟ୍ରେନ ଗଡ଼ିବ। ଏହି ପ୍ରକ୍ରିୟାରେ କୌଣସି ପ୍ରଦୂଷଣକାରୀ ଗ୍ୟାସ ନିର୍ଗତ ହେବ ନାହିଁ, ବରଂ କେବଳ ଜଳୀୟ ବାଷ୍ପ ଓ ଗରମ ପବନ ବାହାରିବ।

ବିଶ୍ୱର ଅନ୍ୟତମ ବୃହତ ହାଇଡ୍ରୋଜେନ ପାସେଞ୍ଜର ଟ୍ରେନ

  • ୧୦ଟି କୋଚ୍ ବିଶିଷ୍ଟ ଟ୍ରେନ୍: ଏଥିରେ ୨ଟି ପାୱାର କାର୍ ଏବଂ ୮ଟି ଟ୍ରେଲର କୋଚ୍ ରହିଛି। ପ୍ରତ୍ୟେକ ପାୱାର କାର୍‌ରୁ ୧,୨୦୦ କିଲୋୱାଟ ଶକ୍ତି ଉତ୍ପନ୍ନ ହେବ।
  • ଯାତ୍ରୀ କ୍ଷମତା: ଏହି ଟ୍ରେନ୍‌ରେ ଏକ ସମୟରେ ପ୍ରାୟ ୨,୬୦୦ ଯାତ୍ରୀ ଯାତ୍ରା କରିପାରିବେ।
  • ଭିତ୍ତିଭୂମି: ଭାରତୀୟ ରେଳବାଇ ଜିନ୍ଦ୍‌ଠାରେ ଦେଶର ପ୍ରଥମ ସମନ୍ୱିତ ହାଇଡ୍ରୋଜେନ ଇକୋସିଷ୍ଟମ ପ୍ରତିଷ୍ଠା କରିଛି। ଏଠାରେ ସ୍ୱତନ୍ତ୍ର ପ୍ଲାଣ୍ଟରେ ଉତ୍ପାଦନ କରାଯାଉଥିବା ପ୍ରାୟ ୩,୦୦୦ କେଜି ହାଇଡ୍ରୋଜେନ ସଂରକ୍ଷିତ ରଖିବାର ବ୍ୟବସ୍ଥା ହୋଇଛି।

ହାଇଡ୍ରୋଜେନ୍ ଅତ୍ୟନ୍ତ ଦାହ୍ୟ ଗ୍ୟାସ ହୋଇଥିବାରୁ ଏଥିରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ଲିକ୍ ଡିଟେକ୍ଟର, ନିଆଁ ଓ ଧୂଆଁ ସେନ୍ସର ଏବଂ ସ୍ୱୟଂଚାଳିତ ଶଟ୍‌ଡାଉନ୍ ବ୍ୟବସ୍ଥା ଖଞ୍ଜାଯାଇଛି। ଭାରତକୁ ‘ନେଟ୍-ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଏହି ଗ୍ରୀନ ହାଇଡ୍ରୋଜେନ ମିଶନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।