ଭଦ୍ରକ: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ଣରେ ଶ୍ରୀ ସାମଲଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଆବଶ୍ୟକ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି।
ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ବିଜେଡିର ବହୁ ବରିଷ୍ଠ ନେତା ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖୋଜଖବର ନେଇଥିଲେ ଏବଂ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବିଜେଡି ନେତା ମଧ୍ୟ ଶ୍ରୀ ସାମଲଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି।
ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ମେଡିକାଲ ବୁଲେଟିନ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।




