ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ନଜରରେ ରଖି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଏକ ନୂଆ ପରମ୍ପରାର ଆରମ୍ଭ କରାଯାଇଛି। ଏଣିକି ଏନ୍‌ଡିଏ ସଂସଦୀୟ ଦଳର ସାପ୍ତାହିକ ବୈଠକକୁ ‘ମଙ୍ଗଳ ମିଳନ’ ନାମରେ ଜଣାଯିବ। ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୯ଟା ୩୦ ମିନିଟ୍‌ରେ ସଂସଦ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ପାରମ୍ପରିକ ଭାବେ ପ୍ରତ୍ୟେକ ମଙ୍ଗଳବାର ଅନୁଷ୍ଠିତ ହେଉଥିବା ଏନ୍‌ଡିଏ ସଂସଦୀୟ ଦଳ ବୈଠକର ନାମ ପରିବର୍ତ୍ତନ କରାଯାଇଛି। ନୂଆ ନାମ ‘ମଙ୍ଗଳ ମିଳନ’ ମାଧ୍ୟମରେ ମେଣ୍ଟର ସମନ୍ୱୟ ଓ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଇଛି।

ସରକାରୀ ସୂତ୍ର ଅନୁସାରେ, ସଂସଦର ଉଭୟ ସଦନରେ ଆବଶ୍ୟକ ସମର୍ଥନ ନେଇ ଏନ୍‌ଡିଏ ନେତୃତ୍ୱ ଆତ୍ମବିଶ୍ୱାସୀ ରହିଛି। ଆବଶ୍ୟକ ପଡ଼ିଲେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଭିନ୍ନ ବିଲ୍‌ ପାରିତ କରିବା ପାଇଁ ମେଣ୍ଟ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ଥିବା ଦାବି କରାଯାଇଛି।

ଏହାସହ ନିକଟରେ ଏନ୍‌ସିପିସିଆଇରେ ଯୋଗ ଦେଇଥିବା ବିଦ୍ରୋହୀ ତୃଣମୂଳ କଂଗ୍ରେସ ସାଂସଦମାନଙ୍କୁ ସରକାରୀ ସ୍ୱୀକୃତି ମିଳିପାରେ ବୋଲି ମଧ୍ୟ ସୂଚନା ମିଳିଛି। ଯଦି ସେପରି ହୁଏ, ସର୍ବଦଳୀୟ ବୈଠକରେ ମଧ୍ୟ ସେହି ଦଳକୁ ନିମନ୍ତ୍ରଣ କରାଯାଇପାରେ।

ଅନ୍ୟପକ୍ଷରେ, ମୌସୁମୀ ଅଧିବେଶନକୁ ନେଇ ରଣନୀତି ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ଅଧିବେଶନ ସମୟରେ ଏନ୍‌ଡିଏର ବିଧାନିକ କାର୍ଯ୍ୟସୂଚୀ ଓ ରାଜନୈତିକ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି।