ଅହମଦାବାଦ: ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ (ଜେଇଏମ୍‌) ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗୁଜରାଟ ପୁଲିସର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌) ଆଉ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଗିରଫଦାରି ପରେ ମାମଲାରେ ମୋଟ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ପୁଲିସର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଦେଶର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବା ପାଇଁ ଷଡ଼ଯନ୍ତ୍ର ରଚୁଥିଲେ।

ଗିରଫ ହୋଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ବିଲାଲ ଆବିଦ୍ ଶେରା, ମହମ୍ମଦ ଆୟୁବ କାଦିୱାଲ ଓରଫ ମହମ୍ମଦ ଖାଦିୟାସନ, ମହମ୍ମଦ ଶାଫି ମୁଖୀ ଓରଫ ଶାଫି ଚାପି, ମହମ୍ମଦ ହାସନ କରାଡିଆ ଓରଫ ହାସନ ହାଇଦରପୁରୀ ଏବଂ ମହମ୍ମଦ ଆୟୁବ ସୁନାସାରା ଓରଫ ମହମ୍ମଦ ଖାଲି ରହିଛନ୍ତି। ସେମାନଙ୍କୁ ଗୁଜରାଟ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସମନ୍ୱିତ ଅଭିଯାନ ଚଳାଇ ଧରାଯାଇଥିବା ଏଟିଏସ୍‌ ସୂଚନା ଦେଇଛି।

ତଦନ୍ତକାରୀ ସଂସ୍ଥା କହିଛି, ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ପରେ ଏହି ନୂଆ ଗିରଫଦାରି ସମ୍ଭବ ହୋଇଛି। ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ, ସନ୍ଦିଗ୍ଧମାନେ ସୋସିଆଲ ମିଡିଆ ଓ ସୁରକ୍ଷିତ ଅନଲାଇନ୍‌ ମାଧ୍ୟମରେ ପାକିସ୍ତାନସ୍ଥିତ ଜୈସ୍-ଏ-ମହମ୍ମଦର ସଂଚାଳକମାନଙ୍କ ସହ ଯୋଗାଯୋଗରେ ଥିଲେ। ସେମାନଙ୍କୁ ବିସ୍ଫୋରକ ପ୍ରସ୍ତୁତି, ସମ୍ଭାବ୍ୟ ଲକ୍ଷ୍ୟସ୍ଥଳ ଚୟନ ଏବଂ ଆକ୍ରମଣ ସମ୍ପର୍କିତ ନିର୍ଦ୍ଦେଶ ମିଳୁଥିବା ଅଭିଯୋଗ ରହିଛି।

ଅଭିଯାନ ସମୟରେ ପୁଲିସ ବିଭିନ୍ନ ମୋବାଇଲ ଫୋନ୍‌, ଇଲେକ୍ଟ୍ରୋନିକ୍ ଉପକରଣ ଓ ଡିଜିଟାଲ ପ୍ରମାଣ ଜବତ କରିଛି। ସେଗୁଡ଼ିକର ଫରେନ୍ସିକ୍ ଯାଞ୍ଚ ଜାରି ରହିଛି। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତମାନଙ୍କ ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ସମୟ ମଧ୍ୟରେ ଏହାକୁ ବିଫଳ କରାଯାଇଛି।

ଏହି ନେଟ୍‌ୱର୍କ ସହ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ତଦନ୍ତକୁ ବ୍ୟାପକ କରାଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଅଭିଯୁକ୍ତମାନଙ୍କ ଆର୍ଥିକ କାରବାର, ଯୋଗାଯୋଗ ବ୍ୟବସ୍ଥା ଓ ସମ୍ଭାବ୍ୟ ନେଟ୍‌ୱର୍କର ଖୋଳତାଡ଼ ଚାଲିଛି। ପୁଲିସର ମତରେ, ଏହି ଅଭିଯାନ ଫଳରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ସମୟ ପୂର୍ବରୁ ବିଫଳ କରାଯାଇଛି।