ଜଗତସିଂହପୁର: ସାଉଦି ଆରବରେ ଫସି ରହିଥିବା ଜଗତସିଂହପୁର ଜିଲ୍ଲାର ଯୁବକ ପ୍ରଳୟ ରଞ୍ଜନ ମହାପାତ୍ରଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବା ପାଇଁ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ଏହି ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଳୟ ରଞ୍ଜନ ମହାପାତ୍ର ୨୦୨୪ ମସିହା ମଇ ୨୪ ତାରିଖରେ କାର୍ଯ୍ୟ ସୂତ୍ରରେ ସାଉଦି ଆରବ ଯାଇଥିଲେ। ସେଠାରେ ସେ ‘ମଜାଦ୍ ଅଲ୍-ହରବି’ କମ୍ପାନୀରେ ହ୍ୱିଲ୍ ଲୋଡର୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିର ଅବଧି ୨୦୨୬ ଏପ୍ରିଲ୍ ୩୦ରେ ଶେଷ ହୋଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଭାରତ ଫେରିବାକୁ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି।

ପ୍ରଳୟଙ୍କ ମାଆ ପ୍ରତିମା ସେଠୀଙ୍କ କହିବା ଅନୁସାରେ, ପୁଅ ଦୀର୍ଘଦିନ ଧରି ବିଦେଶରେ ଅଟକି ରହିଥିବାବେଳେ ପରିବାର ଗଭୀର ମାନସିକ ଚାପରେ ରହିଛି। ଅନ୍ୟପକ୍ଷରେ, ପ୍ରଳୟଙ୍କ ବାପା ସାଧୁଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିବାରୁ ପରିବାରର ଚିନ୍ତା ଆହୁରି ବଢ଼ିଛି। ଏହି ସମସ୍ୟା ନେଇ ସେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନିକଟରେ ସହାୟତା ଲୋଡ଼ିଥିଲେ।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମନ୍ତ୍ରୀ ସମ୍ପଦ ସ୍ୱାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖି ପ୍ରଳୟ ରଞ୍ଜନ ମହାପାତ୍ରଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ତୁରନ୍ତ କୂଟନୈତିକ ଓ ପ୍ରଶାସନିକ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।