କୁଆଲାଲୁମ୍ପୁର: ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ୍‌ ଦଳ ଏଏଫ୍‌ସି U-17 ମହିଳା ଏସିଆ କପ୍‌ କ୍ୱାଲିଫାୟର୍ସରେ ଇରାକ ବିପକ୍ଷ ମ୍ୟାଚ୍‌ ସହ ନିଜର ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ମାଲେସିଆର କୁଆଲାଲୁମ୍ପୁରରେ ଏହି ଯୋଗ୍ୟତା ପର୍ବ ଆୟୋଜିତ ହେବ। ଗୁରୁବାର ଏସିଆନ୍‌ ଫୁଟବଲ୍‌ କନଫେଡେରେସନ୍‌ (AFC) ପକ୍ଷରୁ ପ୍ରତିଯୋଗିତାର ସୂଚୀ ପ୍ରକାଶ କରାଯାଇଛି।

ଡ୍ର’ ଅନୁଯାୟୀ ଭାରତ ଗ୍ରୁପ୍‌–ଇରେ ଇରାକ, ସିରିଆ ଓ ଆୟୋଜକ ମାଲେସିଆ ସହ ସ୍ଥାନ ପାଇଛି। ଇରାକ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଭାରତ କ୍ରମାଗତ ଭାବେ ସିରିଆ ଏବଂ ମାଲେସିଆକୁ ଭେଟିବ।

ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷସ୍ଥାନ ଅଧିକାର କରୁଥିବା ଦଳ ୨୦୨୭ ମାର୍ଚ୍ଚ ୩୧ରୁ ଏପ୍ରିଲ୍‌ ୧୭ ପର୍ଯ୍ୟନ୍ତ ଚୀନ୍‌ର ସୁଝୋଉରେ ଆୟୋଜିତ ହେବାକୁ ଥିବା ଏଏଫ୍‌ସି U-17 ମହିଳା ଏସିଆ କପ୍‌ରେ ଯୋଗ୍ୟତା ଅର୍ଜନ କରିବେ। ଭାରତୀୟ ଦଳ ଗତ ସଂସ୍କରଣରେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚି ଇତିହାସ ସୃଷ୍ଟି କରିଥିଲା। ସେହି ସଫଳତାକୁ ଦୋହରାଇବା ସହ ପୁଣିଥରେ ମୂଳ ପର୍ବରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଦଳ ପଡ଼ିଆକୁ ଓହ୍ଲାଇବ।

କ୍ୱାଲିଫାୟର୍ସର ୮ଟି ଗ୍ରୁପ୍‌ର ବିଜେତା ଦଳ ଗତ ସଂସ୍କରଣରୁ ସିଧାସଳଖ ଯୋଗ୍ୟତା ପାଇଥିବା ୪ଟି ଦଳ ସହ ମିଶି ମୋଟ ୧୨ଟି ଦଳକୁ ନେଇ ଏସିଆ କପ୍‌ର ମୂଳ ପର୍ବ ଖେଳାଯିବ। ଏସିଆ କପ୍‌ର ଶ୍ରେଷ୍ଠ ଚାରିଟି ଦଳ ୨୦୨୭ରେ ମରକ୍କୋରେ ହେବାକୁ ଥିବା ଫିଫା U-17 ମହିଳା ବିଶ୍ୱକପ୍‌ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିବେ।