ନୂଆଦିଲ୍ଲୀ: ଆସନ୍ତା ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପାଇଁ ହକି ଇଣ୍ଡିଆ ଶୁକ୍ରବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ମିଡଫିଲ୍ଡର ସଲିମା ଟେଟେଙ୍କୁ ଦଳର ଅଧିନାୟିକା ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡ଼ିଶାରୁ ସୁନେଲିତା ଟୋପ୍ପୋ ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି।
ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରୁ ଚୂଡ଼ାନ୍ତ ଦଳ ଚୟନ କରାଯାଇଛି। ଗତ ମାସରେ ନ୍ୟୁଜିଲାଣ୍ଡରେ ଆୟୋଜିତ ଏଫ୍ଆଇଏଚ୍ ନେସନ୍ସ କପ୍ରେ ଭାରତ ଅପରାଜେୟ ରହି ଚାମ୍ପିଅନ୍ ହୋଇଥିଲା। ସେହି ପ୍ରଦର୍ଶନକୁ ବିଶ୍ୱକପ୍ରେ ମଧ୍ୟ ଜାରି ରଖିବାକୁ ଦଳ ଲକ୍ଷ୍ୟ ରଖିଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍ ଦଳର ସଫଳତା ନେଇ ଆଶାବାଦୀ ଅଛନ୍ତି।
ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ନେଦରଲାଣ୍ଡ୍ସ ଓ ବେଲଜିୟମ୍ରେ ମିଳିତ ଭାବେ ଏହି ବିଶ୍ୱକପ୍ ଆୟୋଜିତ ହେବ। ଭାରତ ପୁଲ୍-ଡିରେ ଚୀନ୍, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। ଦଳ ନେଦରଲାଣ୍ଡ୍ସର ଆମ୍ଷ୍ଟେଲଭିନ୍ସ୍ଥିତ ୱାଗେନର ହକି ଷ୍ଟାଡିୟମ୍ରେ ସମସ୍ତ ପୁଲ୍ ମ୍ୟାଚ୍ ଖେଳିବ।
ଭାରତ ଅଗଷ୍ଟ ୧୬ରେ ଚୀନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହାପରେ ଅଗଷ୍ଟ ୧୮ରେ ଦକ୍ଷିଣ ଆଫ୍ରିକା ଏବଂ ଅଗଷ୍ଟ ୨୦ରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା କରି ପୁଲ୍ ପର୍ଯ୍ୟାୟ ଶେଷ କରିବ।
ଭାରତୀୟ ଦଳ:
ଗୋଲରକ୍ଷକ: ସବିତା, ବିଚୁ ଦେବୀ ଖାରିବାମ୍।
ଡିଫେଣ୍ଡର: ଈଶିକା ଚୌଧୁରୀ, ସୁଶିଲା ଚାନୁ ପୁଖ୍ରାମ୍ବାମ୍, ଲାଲଥାନ୍ତଲୁଆଙ୍ଗୁ, ଜ୍ୟୋତି, ଶିଳ୍ପୀ ଦାବାସ।
ମିଡଫିଲ୍ଡର: ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟୋପ୍ପୋ, ସଲିମା ଟେଟେ (ଅଧିନାୟିକା), ନେହା, ଦୀପିକା ସୋରେଙ୍ଗ।
ଫରୱାର୍ଡ: ଲାଲରେମସିଆମି, ଋତୁଜା ଦାଦାସାଓ ପିସାଲ, ନବନୀତ କୌର, ଈଶିକା, ବଲଜିତ କୌର ଏବଂ ବିଉଟି ଡୁଙ୍ଗଡୁଙ୍ଗ।




