ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନମାନଙ୍କ ମଧ୍ୟରୁ ଅନ୍ୟତମ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜେତା ତାଲିକା ଘୋଷଣା ହୋଇଛି। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର (ଓଡ଼ିଆ) ଭାବେ ଜାତୀୟ ସମ୍ମାନ ହାସଲ କରି ଓଲିଉଡ୍ ପାଇଁ ଗୌରବ ଆଣିଛି।
ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ନୃତ୍ୟ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନାର ଦାୟିତ୍ୱ ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ ଭଟ୍ଟାଚାର୍ଯ୍ୟ ସମ୍ଭାଳିଥିଲେ। ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ କିସଳୟ ରାୟ। ଚଳଚ୍ଚିତ୍ରର ଗୀତରେ କଣ୍ଠଦାନ କରିଥିଲେ ଗୌରବ ଆନନ୍ଦ ଓ ନବ୍ୟା।
ବାପା ଓ ପୁଅଙ୍କ ଭାବପୂର୍ଣ୍ଣ ସମ୍ପର୍କ ସହ ଗ୍ରାମୀଣ ଜୀବନର ସରଳତାକୁ କେନ୍ଦ୍ର କରି ନିର୍ମିତ ‘ଲହରୀ’ରେ ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାଶ, ଝିଲିକ ଭଟ୍ଟାଚାର୍ଯ୍ୟ, ସ୍ୱସ୍ତିକ ଚୌଧୁରୀ, ଦୀପନ୍ୱିତ ଦାସ ମହାପାତ୍ର, ପ୍ରସେନଜିତ, ସ୍ମୃତି ମହଲା, ହର ରଥ ଓ ସୁଶାନ୍ତ ପ୍ରମୁଖ ଅଭିନୟ କରିଛନ୍ତି। ଏହାସହ ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଅତିଥି କଳାକାର ଭାବେ ଏହି ସିନେମାରେ ନଜର ଆସିଥିଲେ।
ଗତବର୍ଷ ସେପ୍ଟେମ୍ବର ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ଲହରୀ’ ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା ସାଉଁଟିଥିଲା। ଏବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ସମ୍ମାନ ପାଇବା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଏହି ସଫଳତା ଓଡ଼ିଆ ସିନେମାର ସୃଜନଶୀଳତା ଓ ଗୁଣାତ୍ମକ ନିର୍ମାଣକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ଦେଇଛି।




