ନ୍ୟୁଜର୍ସି: ନବଦିନାତ୍ମକ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବା ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ଓ ଆଡ଼ପ ଅବଢ଼ା ପାଇବା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଭକ୍ତଙ୍କ ଲମ୍ବା ଧାଡ଼ି ବଡ଼ଶଙ୍ଖ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଦର୍ଶନ ପରେ ଭକ୍ତମାନେ ନାକଚଣା ଦ୍ୱାର ଦେଇ ବାହାରୁଛନ୍ତି।
ଆଡ଼ପ ମଣ୍ଡପରେ ଦର୍ଶନ ସହ ଅବଢ଼ା ପାଇଁ ଭକ୍ତଙ୍କ ଉତ୍ସାହ
ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ସେବନର ସୁଯୋଗକୁ ଭକ୍ତମାନେ ହାତଛଡ଼ା କରିନାହାନ୍ତି। ତେବେ ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ ହେବାରୁ ରୋଷ ଶେଷ ହେବା ବେଳକୁ ଅପରାହ୍ଣ ହୋଇଯାଇଥିଲା। ପ୍ରାୟ ସାଢ଼େ ୩ଟା ସମୟରେ ନୀତି ବଢ଼ି ରୁନ୍ଧା ଶେଷ ହୋଇଥିଲା।
ଏହାପରେ ସୂର୍ଯ୍ୟ ପୂଜା ଓ ରୋଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟା ୧୦ ମିନିଟ୍ରେ ସକାଳ ଧୂପ ଶେଷ ହେବା ପରେ ଭକ୍ତଙ୍କ ପାଇଁ ଅବଢ଼ା ବାହାରିଥିଲା।
ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ ସୂଚନା ଅନୁଯାୟୀ, ଆଜି ପ୍ରାୟ ୫୦ରୁ ୬୦ ହଜାର ଭକ୍ତଙ୍କ ପାଇଁ ଏବଂ ୪୦ ହଜାର ଜଣଙ୍କ ବରାଦୀ ମହାପ୍ରସାଦ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟାମୋଟି ଭାବେ ପ୍ରାୟ ୧ ଲକ୍ଷ ଭକ୍ତ ସେବନ କରିପାରିବା ଭଳି ଅବଢ଼ା ପ୍ରସ୍ତୁତ ରହିଛି।
ଜୈବିକ ଚାଉଳରେ ପ୍ରସ୍ତୁତ ହେଲା ଅମୃତ ଅନ୍ନ ଭୋଗ
ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ଅନ୍ନବ୍ୟଞ୍ଜନ ଲାଗି ହେବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ। କୋଠଭୋଗରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ ଲାଗି କରାଯାଇଥିଲା।
ଏଥିପାଇଁ ଜୈବିକ ଚାଉଳ ସହ ମୁଗ ଏବଂ ପିଠା ପ୍ରସ୍ତୁତି ପାଇଁ ବିରି ଯୋଗାଇ ଦିଆଯାଇଥିଲା। ଏହାର କିଛି ପରିମାଣ ବରାଦୀ ମହାପ୍ରସାଦ ଭାବେ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଆଡ଼ପ ଅବଢ଼ା ପାଇ ଭକ୍ତମାନେ ମହାପ୍ରଭୁଙ୍କ କୃପା ଲାଭ କରିଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।




