ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ପୁଣିଥରେ ୪ଟି ସ୍ଲୁଇସ୍ ଗେଟ୍‌ ଖୋଲିଛନ୍ତି।

ଏ ସମ୍ପର୍କରେ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଆଧିକାରିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି, ଯେଉଁଥିମଧ୍ୟରୁ ବାମପାର୍ଶ୍ଵରୁ ୩ଟି ଏବଂ ଡାହାଣପାର୍ଶ୍ଵରୁ ଗୋଟିଏ ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି।

ଉପରମୁଣ୍ଡ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ଜାରି ରହିଛି, ଯାହାଫଳରେ ଡ୍ୟାମ୍‌ର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଡ୍ୟାମ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ଏବଂ ଜଳପ୍ରବେଶ (ଇନଫ୍ଲୋ) ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ସ୍ଥିତିର ନିରନ୍ତର ସମୀକ୍ଷା କରାଯାଉଛି।

ଅନ୍ୟପଟେ, ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକ ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଦୀ କୂଳିଆ ତଥା ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।