ମାଲକାନଗିରି: ଓଡ଼ିଶାର ଉପାନ୍ତ ତଥା ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାବାସୀଙ୍କ ଆକାଶଛୁଆଁ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଜିଲ୍ଲାରେ ନିୟମିତ ବ୍ୟାବସାୟିକ ବିମାନ ସେବା ଆରମ୍ଭ କରିବା ପୂର୍ବରୁ ଆସନ୍ତା ଜୁଲାଇ ୨୨ ତାରିଖରେ ମାଲକାନଗିରି ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ଟ୍ରାଏଲ୍ ରନ୍ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ପରୀକ୍ଷାମୂଳକ ଉଡ଼ାଣକୁ ସଫଳ କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାରପୋର୍ଟର ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଭୁବନେଶ୍ୱରରୁ ସୁରକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ଏବଂ ଏରୋ ସେଫଗାର୍ଡର ସହକାରୀ ନିର୍ଦ୍ଦେଶକ ନୀରଜ କୁମାର ନାୟକ ଜୁଲାଇ ୨୦ ତାରିଖରେ ମାଲକାନଗିରିରେ ପହଞ୍ଚିବେ।

ଉଭୟ ଅଧିକାରୀ ବିମାନବନ୍ଦରର ସ୍ଥିତି ଯାଞ୍ଚ କରିବା ପରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ସେବା ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ କରିବେ। ଟ୍ରାଏଲ୍ ଫ୍ଲାଇଟ୍ ସମୟରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ବିଭିନ୍ନ ବିଭାଗକୁ ସେମାନଙ୍କର ଦାୟିତ୍ୱ ବଣ୍ଟନ କରାଯିବ।

ଜୁଲାଇ ୨୧ ତାରିଖରେ ଏକ ଚୂଡ଼ାନ୍ତ ନିରୀକ୍ଷଣ କରାଯିବ। ଏହି ଦିନ ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରସ୍ତୁତିର ଏକ ମକ-ଡ୍ରିଲ୍ କରାଯାଇ ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରାଯିବ।

ଯଦି ଜୁଲାଇ ୨୨ର ଏହି ଟ୍ରାଏଲ୍ ରନ୍ ସଫଳ ହୁଏ, ତେବେ ମନୋଜ କୁମାର ଦାସ ଜୁଲାଇ ୨୩ରେ ଭୁବନେଶ୍ୱର ଫେରିଯିବେ। କିନ୍ତୁ ଅନ୍ୟତମ ସହକାରୀ ନିର୍ଦ୍ଦେଶକ ନୀରଜ କୁମାର ନାୟକ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ଡେରା ପକାଇବେ। ସେ ସେଠାରେ ରହି ବିମାନବନ୍ଦରର ପରବର୍ତ୍ତୀ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ନିୟମିତ କମର୍ସିଆଲ୍ ବା ବ୍ୟାବସାୟିକ ବିମାନ ସେବା ଶୁଭାରମ୍ଭ ପାଇଁ ଆବଶ୍ୟକୀୟ ତଦାରଖ କରିବେ।

ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମାଲକାନଗିରି ଜିଲ୍ଲାର ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବା ସହ ଆର୍ଥିକ ଓ ପର୍ଯ୍ୟଟନ ବିକାଶ ତ୍ୱରାନ୍ୱିତ ହେବ।