କୋଲକାତା: ପଶ୍ଚିମବଙ୍ଗର ପ୍ରଶାସନିକ କାର୍ଯ୍ୟକଳାପରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ବିଭାଗରେ ବଙ୍ଗଳା ଭାଷାର ବ୍ୟବହାର ବାଧ୍ୟତାମୂଳକ କରାଯିବ। ବର୍ଦ୍ଧିତ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଗୃହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଗତ ସପ୍ତାହରେ ୩ ଦିନିଆ ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସରକାରୀ ବିଭାଗଗୁଡ଼ିକରେ ବଙ୍ଗଳା ଭାଷାର ବ୍ୟବହାର ବୃଦ୍ଧି କରିବା ପାଇଁ ଏକ ଚିଠି ଲେଖିଥିଲେ। ସୋମବାର ବିଧାନସଭା ଗୃହରେ ଏହି ଚିଠି ପଢ଼ିବା ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପରେ ବଙ୍ଗଳାକୁ ସରକାରୀ ଭାଷା ଭାବେ ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ କିଛି ସମୟ ଆବଶ୍ୟକ, ସେଥିପାଇଁ ଏହାକୁ ସେପ୍ଟେମ୍ବର ୧ରୁ ଲାଗୁ କରାଯିବ। ସମସ୍ତ ସରକାରୀ ଚିଠିପତ୍ର, ବିଜ୍ଞପ୍ତି ଏବଂ ଏପରିକି ପୋଲିସ୍ ଷ୍ଟେସନର ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବଙ୍ଗଳା ଭାଷା ପ୍ରଚଳନ କରାଯିବ। ପ୍ରଶାସନିକ କାର୍ଯ୍ୟକୁ ସହଜ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଦସ୍ତାବିଜ୍‌ର ସଠିକ୍ ଅନୁବାଦ ପାଇଁ ଆଗାମୀ ଦେଢ଼ ମାସ ସମୟ ଲାଗିବ ଏବଂ ସରକାର ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ଶୁଭେନ୍ଦୁ ଅଧିକାରୀ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଚିଠି ସମ୍ପର୍କରେ ସୂଚନା ଦେଇଥିଲେ। ମାତ୍ର ସେଦିନ ଚିଠିର ବିଷୟବସ୍ତୁ ପ୍ରକାଶ ନକରି, ପ୍ରଥମେ ସୋମବାର ବିଧାନସଭାକୁ ଜଣାଇବେ ବୋଲି କହିଥିଲେ। ନିଜ ପ୍ରତିଶ୍ରୁତି ରକ୍ଷା କରି ସୋମବାର ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ସର୍ବପ୍ରଥମେ ଗୃହରେ ଏହି ଚିଠି ପଢ଼ି ଶୁଣାଇଥିଲେ ଏବଂ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ସାଧାରଣ ଜନତା ସରକାରୀ କାର୍ଯ୍ୟ ପ୍ରକ୍ରିୟାକୁ ଅତି ସହଜରେ ବୁଝିପାରିବେ।