ଦିଲ୍ଲୀ: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଯନ୍ତର ମନ୍ତରଠାରେ ହଜାର ହଜାର ସଂଖ୍ୟାରେ ‘କୋକରୋଚ୍ ଜନତା ପାର୍ଟି’ (CJP)ର ସମର୍ଥକ ଏକତ୍ରିତ ହୋଇ ପୋଲିସର କଟକଣାକୁ ବେଖାତିର କରି ‘ଚଲୋ ସଂସଦ’ ଶୋଭାଯାତ୍ରା କରିଛନ୍ତି। ନିଟ୍ (NEET) ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାଳନା କରିଛି। ଏହା ସହ କେନ୍ଦ୍ରୀୟ ଦିଲ୍ଲୀର କେତେକ ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ଦିଲ୍ଲୀ ପୋଲିସ ଗୋଟିଏ ଦିନ ପୂର୍ବରୁ ଏହି ଶୋଭାଯାତ୍ରା ପାଇଁ ଅନୁମତି ଦେଇନଥିଲା ଏବଂ ବଡ଼ ଧରଣର ସମାବେଶ ଉପରେ କଟକଣା ଲଗାଇଥିଲା। ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, “ପ୍ରତିବାଦ ଶୋଭାଯାତ୍ରା, ବିକ୍ଷୋଭ ଏବଂ ୫ ବା ତା’ଠାରୁ ଅଧିକ ଲୋକ ଏକତ୍ରିତ ହେବା ସମ୍ପୂର୍ଣ୍ଣ ନିଷେଧ।” ଅଣ-ଅନୁମୋଦିତ ସମାବେଶରେ ସାମିଲ ନହେବାକୁ ପୋଲିସ ନାଗରିକମାନଙ୍କୁ ନିବେଦନ କରିଥିଲା।

ଅନ୍ୟପଟେ, CJP ନିଜ ସମର୍ଥକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛି। ଦଳ ପକ୍ଷରୁ କୁହାଯାଇଛି, “ଯଦି ଆପଣଙ୍କୁ କେଉଁଠି ଅଟକାଯାଇଛି, ତେବେ ଧୈର୍ଯ୍ୟ ରଖନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ। ଆମେ କେବଳ ଶାନ୍ତି ଏବଂ ଭଲପାଇବା ଦ୍ୱାରା ହିଁ ଜିତିପାରିବା।”

ଏହି ସୁରକ୍ଷା କଟକଣା ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜୀବ ଚୌକ, ଜନପଥ, ପଟେଲ ଚୌକ, କେନ୍ଦ୍ରୀୟ ସଚିବାଳୟ ଏବଂ ସେବା ତୀର୍ଥ ମେଟ୍ରୋ ଷ୍ଟେସନଗୁଡ଼ିକୁ ବନ୍ଦ କରିଦିଆଯାଇଛି, ଯାହା ଫଳରେ ଶତାଧିକ ଯାତ୍ରୀ ଗନ୍ତବ୍ୟ ସ୍ଥଳକୁ ନଯାଇପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଅଭିଜିତ ଦୀପକେଙ୍କ ଦ୍ୱାରା ଏକ ବ୍ୟଙ୍ଗାତ୍ମକ ଡିଜିଟାଲ୍ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିବା CJP ଏବେ ପରୀକ୍ଷା ଅନିୟମିତତା ବିରୋଧରେ ଏକ ଦେଶବ୍ୟାପୀ ଅଭିଯାନର ରୂପ ନେଇଛି। ଅନ୍ୟପଟେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରି ମାଲଟିପୁଲ୍ ଅର୍ଗାନ ଫେଲ୍ୟୁଅର୍ କାରଣରୁ ହସ୍ପିଟାଲରେ ଭର୍ତ୍ତି ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ଦୋହରାଇଛନ୍ତି ଯେ, ସରକାର କଥିତ ପ୍ରଶ୍ନପତ୍ର ଲିକ୍‌ର ଦାୟିତ୍ୱ ନେଲେ କିମ୍ବା ରାଜନୈତିକ ନେତାମାନେ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ପ୍ରତିଶ୍ରୁତି ଦେଲେ ହିଁ ସେ ଅନଶନ ଭାଙ୍ଗିବେ।