ଭୁବନେଶ୍ୱର: ରାଜ୍ୟରେ ସନ୍ତୁଳିତ ପୋଷକ ତତ୍ତ୍ୱ ପରିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଡିଏପି ବଦଳରେ କମ୍ପ୍ଲେକ୍ସ ସାର ଏବଂ ୟୁରିଆ ବଦଳରେ ଆମୋନିୟମ୍ ସଲଫେଟ୍ ବ୍ୟବହାରକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ଏକ ସରକାରୀ ଚିଠିରେ ବିଭାଗୀୟ କମିଶନର-ତଥା-ସଚିବ ସଚିନ ରାମଚନ୍ଦ୍ର ଯାଦବ (IAS) ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ବହୁ ପରିମାଣରେ ଆମୋନିୟମ୍ ସଲଫେଟ୍ (ଯେଉଁଥିରେ ୨୦.୫% ନାଇଟ୍ରୋଜେନ୍ ଏବଂ ୨୩% ସଲଫର୍ ରହିଛି) ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏହି ସାର ୟୁରିଆର ଏକ ପ୍ରଭାବଶାଳୀ ବିକଳ୍ପ ହେବା ସହିତ ମାଟିରେ ଥିବା ସଲଫର୍ ବା ଗନ୍ଧକ ଅଭାବକୁ ଦୂର କରିବାରେ ବେଶ୍ ସହାୟକ ହେବ।
ଚିଠିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଚଳିତ ବର୍ଷ ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କେନ୍ଦ୍ର ସରକାର ଡିଏପି ବଦଳରେ କମ୍ପ୍ଲେକ୍ସ ସାରର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଯୋଗାଇ ଦିଆଯାଉଥିବା ସାରର ପରିମାଣ ଅନୁଯାୟୀ କମ୍ପ୍ଲେକ୍ସ ସାର ଏବଂ ଆମୋନିୟମ୍ ସଲଫେଟ୍ ପାଇଁ ଇଣ୍ଡେଣ୍ଟ୍ ବା ଚାହିଦା ପତ୍ର ଦାଖଲ କରିବାକୁ ଜିଲ୍ଲା ସ୍ତରୀୟ ମାର୍କଫେଡ୍ ର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସରକାରୀ ନିର୍ଦ୍ଦେଶନାମାକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଯାଇଛି। ଏହା ସହିତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ସମବାୟ ସମିତିର ସମୀକ୍ଷକ ଙ୍କୁ ମଧ୍ୟ ଏହି ଚିଠିର ନକଲ ପ୍ରେରଣ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଚାଷୀମାନେ ସାର ଅଭାବର ସମ୍ମୁଖୀନ ହେବେ ନାହିଁ ଏବଂ ମାଟିର ଉର୍ବରତା ମଧ୍ୟ ବଜାୟ ରହିବ।




