ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉପରେ କଡ଼ା ପ୍ରହାର କରିଛନ୍ତି। ପୂର୍ବ ସରକାରଗୁଡ଼ିକ ନିଜ ଶାସନ କାଳରେ ଏକ ନିର୍ଦ୍ଦିଷ୍ଟ ସମୁଦାୟ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିଲେ ବୋଲି ଅଭିଯୋଗ କରିବା ସହ ସନାତନ ଧର୍ମର ଦୃଢ଼ ଭିତ୍ତିଭୂମି ଉପରେ ଏକ ସୁରକ୍ଷିତ ଓ ଶକ୍ତିଶାଳୀ ଭାରତ ଗଠନ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ବାରାବଙ୍କୀଠାରେ ୫୪୨ କୋଟିରୁ ଅଧିକ ଟଙ୍କାର ୮୨ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନୀ ସମାରୋହରେ ଯୋଗୀ ଏହି ପ୍ରତିକ୍ରିୟା ରଖିଛନ୍ତି। ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, “ଏସପି-କଂଗ୍ରେସ ଶାସନ ସମୟରେ କବରସ୍ଥାନ ଚାରିପାଖରେ ପ୍ରାଚୀର ନିର୍ମାଣ କରିବା ଏବଂ କାଉଡ଼ି ଯାତ୍ରା, ରାମନବମୀ ଶୋଭାଯାତ୍ରା ଓ ଜନ୍ମାଷ୍ଟମୀ ପାଳନ ଉପରେ ପ୍ରତିବନ୍ଧକ ଲଗାଇବା ହିଁ ଧର୍ମନିରପେକ୍ଷତାର ମାପକାଠି ଥିଲା।” ଏଭଳି ଧର୍ମନିରପେକ୍ଷତାକୁ ଉପାଡ଼ି ଫିଙ୍ଗିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାରାବଙ୍କୀର ସାଂସ୍କୃତିକ ଐତିହ୍ୟ ଯେପରିକି ଭଗବାନ ଲୋଧେଶ୍ୱର ମହାଦେବ ମନ୍ଦିର, ପାରିଜାତ ବୃକ୍ଷ ଏବଂ ହକି କିମ୍ବଦନ୍ତୀ କେ.ଡି. ସିଂ ‘ବାବୁ’ଙ୍କୁ ସ୍ୱାଧୀନତା ପରେ ଦୀର୍ଘ ସମୟ ଧରି ଅବହେଳା କରାଯାଇଥିଲା। ପୂର୍ବ ସରକାର କବରସ୍ଥାନ ପାଇଁ ପାଣ୍ଠି ଯୋଗାଉଥିଲେ ମଧ୍ୟ ମହାଦେବଙ୍କ ପାଇଁ ନିଜ ତିହୋରି ଖୋଲୁନଥିଲେ। ବର୍ତ୍ତମାନର ସରକାର ସେହି ପାଣ୍ଠିକୁ ଭଗବାନ ଲୋଧେଶ୍ୱର ମହାଦେବ ମନ୍ଦିରର ଏକ ଭବ୍ୟ କରିଡର ନିର୍ମାଣ ପାଇଁ ବ୍ୟବହାର କରିଛନ୍ତି, ଯାହା ଧାର୍ମିକ ପର୍ଯ୍ୟଟନକୁ ବୃଦ୍ଧି କରିବ।

ସେହିପରି ଏସପି ସରକାର ସମୟରେ ହକି ଖେଳାଳି କେ.ଡି. ସିଂ ‘ବାବୁ’ଙ୍କ ପ୍ରାସାଦ ବିକ୍ରି ହେବା ସ୍ଥିତିକୁ ଚାଲିଯାଇଥିଲା, ଯାହାକୁ ବର୍ତ୍ତମାନର ସରକାର ସୁରକ୍ଷିତ ରଖିଛନ୍ତି। ଭାରତର ସାଂସ୍କୃତିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, “ଭାରତର ଉଜ୍ଜ୍ୱଳ ଭବିଷ୍ୟତ ସନାତନ ଉପରେ ନିର୍ଭର କରେ। ସନାତନ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ। ଯଦି ସନାତନ ପ୍ରତି ବିପଦ ଆସେ, ତେବେ କେହି ସୁରକ୍ଷିତ ରହିବେ ନାହିଁ।”

ପୂର୍ବ ସରକାରଗୁଡ଼ିକ ତୋଷୀକରଣ ରାଜନୀତି କରି ଆୟୋଧ୍ୟା, କାଶୀ ବିଶ୍ୱନାଥ ଧାମ ଏବଂ ମହାରାଜା ସୁହେଲଦେବଙ୍କ ଭଳି ଐତିହାସିକ ସ୍ଥଳର ବିକାଶ ପାଇଁ ପାଣ୍ଠି ଦେଇନଥିଲେ ବୋଲି ଯୋଗୀ ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନର ସରକାର ସମସ୍ତ ପର୍ବପର୍ବାଣୀକୁ ସମ୍ମାନ ଓ ସୁରକ୍ଷାର ସହ ପାଳନ କରିବା ସନିଶ୍ଚିତ କରିଛନ୍ତି ବୋଲି ସେ ଦାବି କରିଛନ୍ତି।