ପୁରୀ: ରଥଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ସୁଯୋଗ କରି ସକ୍ରିୟ ହୋଇଉଠିଥିବା ଛିନ୍ତାଇକାରୀ ଓ ଚୋର ଚକ୍ର ବିରୋଧରେ ପୁରୀ ପୁଲିସ କଡ଼ା ଅଭିଯାନ ଚଳାଇଛି। ଗତ ଚାରି ଦିନ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନରେ ୧୪୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୫୦ରୁ ଅଧିକ ଚୋରି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ବିଭିନ୍ନ ଥାନା ଏବଂ ଆଣ୍ଟି-ସ୍ନାଚିଂ ଟିମ୍ର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି। ସର୍ବାଧିକ ୪୭ ଜଣ ଅଭିଯୁକ୍ତଙ୍କୁ ଟାଉନ ଥାନା ଗିରଫ କରିଥିବା ବେଳେ ସିଂହଦ୍ୱାର ଥାନା ୩୫, କୁମ୍ଭାରପଡ଼ା ଥାନା ୩୧, ସମୁଦ୍ରକୂଳ ଥାନା ୧୫, ବଳିଆପଣ୍ଡା ଥାନା ୧୩ ଏବଂ ତାଳବଣିଆ ଥାନା ୨ ଜଣଙ୍କୁ ଧରିଛି।
ଆଇନଗତ ପ୍ରକ୍ରିୟା ସମାପ୍ତ ପରେ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ଗୁଡ଼ିକ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବଡ଼ଦାଣ୍ଡ, ଶ୍ରୀଜଗନ୍ନାଥ ମନ୍ଦିର ପରିସର, ଗୁଣ୍ଡିଚା ମନ୍ଦିର, ସମୁଦ୍ରକୂଳ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଓ ପାର୍କିଂ ସ୍ଥଳୀ ସମେତ ସମସ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାଦା ପୋଷାକଧାରୀ ପୁଲିସ, ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଟିମ୍ ଏବଂ ସିସିଟିଭି ମାଧ୍ୟମରେ କଡ଼ା ନଜର ରଖାଯାଉଛି।
ଗୁଇନ୍ଦା ସୂଚନା ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରାଯାଉଥିବା ପୁଲିସ କହିଛି।
ଘଟଣା ସମ୍ପର୍କରେ ପୁରୀ ଏସ୍ପି ଶ୍ରୀ ସିଂ କହିଛନ୍ତି ଯେ, ରଥଯାତ୍ରା ସମୟରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁରୀ ପୁଲିସର ସର୍ବୋଚ୍ଚ ପ୍ରାଥମିକତା। ଛିନ୍ତାଇ, ଚୋରି ଓ ସମ୍ପତ୍ତି ସମ୍ବନ୍ଧୀୟ ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନକୁ ଆହୁରି ଜୋରଦାର କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ।
ପୁରୀ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ଯେ, ଜନଗହଳିପୂର୍ଣ୍ଣ ସ୍ଥାନରେ ମୋବାଇଲ୍ ଫୋନ୍, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପ୍ରତି ସତର୍କ ରୁହନ୍ତୁ। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଛିନ୍ତାଇ ଘଟଣା ଦେଖିଲେ ତୁରନ୍ତ ନିକଟସ୍ଥ ପୁଲିସ କିମ୍ବା ଜରୁରୀକାଳୀନ ନମ୍ବର ୧୧୨ରେ ସୂଚନା ଦେବାକୁ ଅପିଲ୍ କରାଯାଇଛି।




