ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଏବଂ ଆଗାମୀ ବାହୁଡ଼ା ଯାତ୍ରା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬:୦୦ ଟାରୁ ସିଂହଦ୍ୱାର ଦେଇ ସର୍ବସାଧାରଣ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏହି ନିଷ୍ପତ୍ତି ସମ୍ପର୍କରେ ନୋଟିସ ଜାରି କରାଯାଇଛି।
ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ (ଶୁଦ୍ଧିକରଣ) କାର୍ଯ୍ୟ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ ପାଇଁ ଏହି କଟକଣା ଆବଶ୍ୟକ ହୋଇପଡ଼ିଛି। ସନ୍ଧ୍ୟା ୬ଟା ପରେ ମନ୍ଦିର ପରିସର ମଧ୍ୟରେ କେବଳ ସେବାୟତମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପରମ୍ପରା ଓ ନୀତିକାନ୍ତି କରାଯିବ।
ମହାପ୍ରଭୁଙ୍କ ଏହି ପବିତ୍ର ଓ ନୀତିକାନ୍ତିଗୁଡ଼ିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ିଛି। ଏହାସହ ସମସ୍ତ ସେବାୟତମାନଙ୍କର ନିରବଚ୍ଛିନ୍ନ ସହଯୋଗ ଓ ସମନ୍ୱୟ ପାଇଁ SJTA ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି।
ପୁରୀ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ସମୟସୀମାକୁ ଧ୍ୟାନରେ ରଖି ନିଜର ଦର୍ଶନ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି, ଯେପରି ସେମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ସୁରୁଖୁରୁରେ କରିପାରିବେ।




