ଭୁବନେଶ୍ୱର: କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଓ ମହଙ୍ଗା ମାଡ଼ ଭିତରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରେ ୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ନୂତନ ବୃଦ୍ଧି ଫଳରେ କର୍ମଚାରୀମାନଙ୍କର ଡିଏ ୨୫୭ ପ୍ରତିଶତରୁ ବୃଦ୍ଧି ପାଇ ୨୬୨ ପ୍ରତିଶତରେ ପହଞ୍ଚିଛି।

ଜାନୁଆରି ୧ରୁ ପିଛିଲା ଭାବେ ଲାଗୁ, ମିଳିବ ବକେୟା ରାଶି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବଦ୍ଧିତ ମହଙ୍ଗା ଭତ୍ତା ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ଗତ ୬ ମାସର ବକେୟା ଟଙ୍କା ମଧ୍ୟ କର୍ମଚାରୀମାନଙ୍କୁ ସିଧାସଳଖ ପ୍ରଦାନ କରାଯିବ। ବର୍ତ୍ତମାନର ମାସିକ ଦରମା ବୃଦ୍ଧି ସହ ଏକାଥରକେ ବକେୟା ଅର୍ଥ ମିଳିବାକୁ ଥିବାରୁ କର୍ମଚାରୀମାନଙ୍କ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଷଷ୍ଠ ବେତନ କମିଶନ ଅଧୀନରେ ପୂର୍ବ ନିର୍ଦ୍ଧାରିତ ବେତନ ହାରରେ ଦରମା ପାଉଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଏହି ୫ ପ୍ରତିଶତ ଭତ୍ତା ବୃଦ୍ଧି କରାଯାଇଛି। ଏହାଦ୍ୱାରା ରାଜ୍ୟର ହଜାର ହଜାର ସରକାରୀ କର୍ମଚାରୀ ସିଧାସଳଖ ଭାବେ ଉପକୃତ ହେବେ।

ଜୀବନଯାପନ ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ସମୟରେ ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କ ପାଇଁ ଆଣିଦେଇଛି ବଡ଼ ଆର୍ଥିକ ରିହାତି। ସରକାରଙ୍କ ଏହି ବଡ଼ ଘୋଷଣା ପରେ ସରକାରୀ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।