ହାଜର ନହେଲେ ନିଆଯିବ କଠୋର ଆଇନଗତ ପଦକ୍ଷେପ
ଭୁବନେଶ୍ୱର: ପୂର୍ବତନ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି ପ୍ରସଙ୍ଗରେ ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସର ପୋଲିସ କମିଶନର (ସିପି) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ସିପିଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ମାମଲାରେ ସମସ୍ତ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନିୟମ ଅନୁଯାୟୀ ଜାରି ରହିଛି ଏବଂ ପୋଲିସ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି।
ଏହି ସମ୍ବେଦନଶୀଳ ମାମଲାରେ ପୂର୍ବରୁ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା, ଯେଉଁଥିରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମା ସାମିଲ ଥିଲେ। ସିପି ସୂଚନା ଦେଇଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ (ମନୋଜ ମିଶ୍ର) ନିର୍ଦ୍ଧାରିତ ସମୟରେ ଥାନାରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ପୋଲିସ ତାଙ୍କର ବୟାନ ରେକର୍ଡ କରିବା ସହ ଏହି ମାମଲାରେ ଆବଶ୍ୟକୀୟ ଛାନଭିନ୍ କରିସାରିଛି। ତେବେ ଅନ୍ୟଜଣେ ଅଧିକାରୀ ନୋଟିସ୍ ପାଇବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ଆଗରେ ହାଜର ହୋଇନାହାନ୍ତି।
ଏହି ପରିପ୍ରେକ୍ଷୀରେ ସିପି ସ୍ପଷ୍ଟ କରିଛନ୍ତି ଯେ, ହାଜର ହୋଇନଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଣିଥରେ ଦ୍ୱିତୀୟ ନୋଟିସ୍ ଜାରି କରାଯିବ। ଯଦି ଦ୍ୱିତୀୟ ସମନ ପରେ ମଧ୍ୟ ସେ ହାଜର ହେବାକୁ ଅବହେଳା କରନ୍ତି କିମ୍ବା ତଦନ୍ତ ପ୍ରକ୍ରିୟାରୁ ଦୂରେଇ ରୁହନ୍ତି, ତେବେ କମିଶନରେଟ୍ ପୋଲିସ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରିବ। କୌଣସି ପରିସ୍ଥିତିରେ ବି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରାଯିବ ନାହିଁ ଏବଂ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବତନ ବ୍ୟୁରୋକ୍ରାଟ୍ ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ କ୍ୟାପିଟାଲ୍ ଥାନା ପକ୍ଷରୁ ନୋଟିସ୍ ଜାରି କରାଯାଇ ଆସନ୍ତା ୨୫ ଜୁଲାଇ ଦିନ ୧୧ଟାରେ ଏସିପି ଜୋନ୍-୧ଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୮ ମସିହାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲାର ଜଷ୍ଟିସ ଏ.ଏସ. ନାଇଡୁ କମିଶନ ରିପୋର୍ଟ ଏବଂ ୨୦୧୬ ସମ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ସ୍ତରୀୟ ତଦନ୍ତ ରିପୋର୍ଟ ସିଏମଓରୁ ଗାୟବ ହେବା ନେଇ ଗତ ଜୁନ୍ ୧୦ ତାରିଖରେ ଗୃହ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ସତ୍ୟାସତ୍ୟ ଓ ପରିସ୍ଥିତି ବିଷୟରେ ପାଣ୍ଡିଆନ ଅବଗତ ଥାଇପାରନ୍ତି ବୋଲି ଅନୁମାନ କରି ପୋଲିସ ତାଙ୍କୁ ସମନ କରିଛି ଏବଂ ନିଜ ସହ ସମସ୍ତ ସମ୍ପୃକ୍ତ ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଆଣିବାକୁ କହିଛି। ଏହି ହାଇପ୍ରୋଫାଇଲ୍ ମାମଲାକୁ ନେଇ ଏବେ ରାଜ୍ୟ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚା ଜାରି ରହିଛି।




