ରାଞ୍ଚି: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଝାଡ଼ଖଣ୍ଡ ରାଜଧାନୀ ରଞ୍ଚିସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖ ହରମୁ ରୋଡ୍ରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି। ଗୁରୁବାର ସକାଳେ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ପରେ ପୁରା ଅଞ୍ଚଳ ଅଶାନ୍ତ ହୋଇପଡ଼ିଥିଲା। ଉଭୟ ପକ୍ଷରୁ ସ୍ଲୋଗାନବାଜି ସହ ଅଣ୍ଡା, ଟମାଟୋ ଓ ପାଣି ବୋତଲ ମାଡ଼ କରାଯାଇଥିଲା।
ନିଟ୍ ଅନିୟମିତତା ପ୍ରତିବାଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ହଜାର ହଜାର କଂଗ୍ରେସ କର୍ମୀ ବିଜେପି କାର୍ଯ୍ୟାଳୟ ଘେରାଉ କରିବାକୁ ମାର୍ଚ୍ଚ କରିଥିଲେ।
ବିଜେପି କାର୍ଯ୍ୟାଳୟର ୧୦୦ ମିଟର ପୂର୍ବରୁ ପୋଲିସ ବ୍ୟାରିକେଡ୍ ଲଗାଇ ରୋକିବାରୁ କଂଗ୍ରେସ କର୍ମୀଙ୍କ ସହ ଠେଲାପେଲା ହୋଇଥିଲା। ବିଜେପି କର୍ମୀମାନେ ଦମକଳ ଗାଡ଼ି ଉପରୁ ଅଣ୍ଡା ଓ ଟମାଟୋ ଫିଙ୍ଗିଥିବା ବେଳେ କଂଗ୍ରେସ କର୍ମୀମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ।
ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଓ ରାପିଡ୍ ଆକ୍ସନ୍ ଫୋର୍ସ ମୋତାୟନ କରାଯାଇଥିଲା। ଏହି ଗଣ୍ଡଗୋଳ ଯୋଗୁଁ ହରମୁ ରୋଡ୍ରେ ପ୍ରବଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହେବାରୁ ଗାଡ଼ିଗୁଡ଼ିକୁ ଅନ୍ୟ ରାସ୍ତାରେ ଡାଇଭର୍ଟ କରାଯାଇଥିଲା।




